Latest Odisha News

BREAKING NEWS

ତମାଣ୍ଡୋରେ ଉଗ୍ର ରୂପ ନେଲା ଡ୍ରାଇଭର ଆନ୍ଦୋଳନ ; ପୋଲିସର ଲାଠିଚାର୍ଜ

ଭୁବନେଶ୍ୱର:ଦ୍ୱିତୀୟ ଦିନରେ ଉଗ୍ରରୂପ ନେଉଛି ଡ୍ରାଇଭର ଆନ୍ଦୋଳନ । ଆଜି ଅପରାହ୍ନରେ ତମାଣ୍ଡୋରେ ମୁହାଁମୁହିଁ ହୋଇଛନ୍ତି ଦୁଇଗୋଷ୍ଠୀ ଡ୍ରାଇଭର  । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଓହରିବ ନାହିଁ ବୋଲି ଜିଦରେ ଡ୍ରାଇଭର ମହାସଂଘ ଅଟଳ ଥିବାବେଳେ ଏହି ଆନ୍ଦୋଳନକୁ ବିରୋଧ କରୁଛନ୍ତି ବାହାର ରାଜ୍ୟରୁ ଆସୁଥିବା ଡ୍ରାଇଭର । ଫଳରେ ମୁହାଁମୁହିଁ ହୋଇଥିଲେ ଦୁଇ ଡ୍ରାଇଭର ଗୋଷ୍ଠୀ । ଫଳରେ ରାଜରାସ୍ତା ଉପରେ ଠେଲାପେଲା, ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।  ରାସ୍ତାର ଦୁଇ ପଟେ ଅଟକି ରହିଥିଲା ଶହ ଶହ ଗାଡି । ଜାତୀୟ ରାଜପଥ କିଛି ସମୟ ପାଇଁ ଜାମ ହୋଇଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି  ସ୍ଥିତି ନିୟନ୍ତ୍ରଣ କରିଛି । ଏପରିକି ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରବାକୁ ପଡିଥିଲା ।

ବାହାର ରାଜ୍ୟରୁ ମାଲ ବୋଝେଇ କରି ଆଣୁଥିବା ଡ୍ରାଇଭର ଆନ୍ଦୋଳନକାରୀ ଡ୍ରାଇଭର ଅଟକାଇଥିଲେ । ସେମାନଙ୍କୁ ସହର ମଧ୍ୟକୁ ଯିବାକୁ ଦେଇ ନ ଥିଲେ । ବାହାର ରାଜ୍ୟରୁ ଆସିଥିବା ଡ୍ରାଇଭର ବିରୋଧ କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ, ବୋତଲ ଫିଙ୍ଗା ଫୋପଡା ହୋଇଥିଲା । ସମ୍ପୂର୍ଣ୍ଣ ଇଲାକା ଯୁଦ୍ଧକ୍ଷେତ୍ର ପରି ଲାଗୁଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରୁଥିବା ଡ୍ରାଇଭରଙ୍କୁ ବୁଝାସୁଝା କରି ରାସ୍ତା ଉପରୁ ହଟାଇଥିଲା । ଡ୍ରାଇଭର ରାସ୍ତାରୁ ହଟିବା ପରେ ତମାଣ୍ଡୋରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ଖବର ପାଇ ଜଟଣୀ ବିଧାୟକ ସୁରେଶ ରାଉତରାୟ ପହଞ୍ଚି ଡ୍ରାଇଭରମାନଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପକ୍ଷେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ତମାଣ୍ଡୋ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.