Latest Odisha News

BREAKING NEWS

‘ଦୂତ’ ଭାବେ ଅଖିଳେଶ ଭେଟିବା ପରେ ବଦଳିଗଲା ମମତାଙ୍କ ମନ; ନବୀନଙ୍କୁ ସାକ୍ଷାତ ଚର୍ଚ୍ଚା ପଛରେ ରହିଛି କି ଉଦ୍ଦେଶ୍ୟ?

ଭୁବନେଶ୍ୱର: ଯଦିଓ ସାଧାରଣ ନିର୍ବାଚନରେ ଟିଏମସି ଏକାକୀ ନିର୍ବାଚନ ଲଢିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି କିନ୍ତୁ ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଭେଟି ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମମତା ଭେଟିବେ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ପ୍ରସଙ୍ଗରେ ଟିଏମସି ବିରୋଧୀ ଦଳଠୁ ଦୂରେଇ ରହିବା ପରେ ସାଧାରଣ ନିର୍ବାଚନ ବେଳେ ଦଳ ଏକାକୀ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚା ହେଉଥିଲା। ଏବେ କିନ୍ତୁ ଅଖିଳେଶ କୋଲକାତାରେ ଆସି ଦେଖା କରିବା ପରେ ମମତାଙ୍କ ମନ ପରିବର୍ତନ ହୋଇଥିବା କୁହାଯାଉଛି। ଯଦିଓ ମମତା ଏହାକୁ ସୌଜନ୍ୟ ମୂଳକ ସାକ୍ଷାତକାର ବୋଲି କହୁଛନ୍ତି। କିନ୍ତୁ ଏହି ବୈଠକ ପଛରେ କେସିଆର, ଷ୍ଟାଲିନ ଏବଂ ନୀତୀଶ କୁମାରଙ୍କ ଭଳି ନେତାଙ୍କ ହାତ ଅଛି ବୋଲି ଚର୍ଚ୍ଚା ହେଉଛି।

ନିକଟରେ ତେଲେଙ୍ଗାନାରେ କେସିଆର ଏକ ବୈଠକ କରିଥିଲେ ସେଠାରେ ଅଖିଳେଶ ଯୋଗ ଦେଇଥିଲେ। ସେହିପରି ଚେନ୍ନାଇରେ ଡିଏମକେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ସଭାରେ ଯୋଗ ଦେଇଥିଲେ ଅଖିଳେଶ। ୟୁପିରେ ନିର୍ବାଚନ ବେଳେ ଜେଡିୟୁ-ଏସପି ମଧ୍ୟରେ ମେଣ୍ଟ ହୋଇଛି। ଏପରି ସ୍ଥିତିରେ ମମତାଙ୍କୁ ମନେଇବାକୁ ଅଖିଳେଶ ଆସିଥିବା ଚର୍ଚ୍ଚା ହେଉଛି। ଆଉ ବିରୋଧୀ ଦଳରେ କଂଗ୍ରେସ ନରହୁ ବୋଲି ମମତାଙ୍କର ଯେଉଁ ଭିତିରି ଉଦ୍ଦେଶ୍ୟ ରହିଛି ତାକୁ ମାନିବାକୁ ଦେଶର ଅଣ କଂଗ୍ରେସ ଓ ଅଣ ବିଜେପି ଦଳର ପ୍ରମୁଖ ନେତା ରାଜି ଥିବା କୁହାଯାଉଛି।

ଦୁଇ ନେତାଙ୍କ ବୈଠକ ସମ୍ପର୍କରେ ସୂଚନା ଦେଇ ସମାଜବାଦୀ ପାର୍ଟି ଟୁଇଟ୍ କରି କହିଛି ଯେ ଅଖିଳେଶ ଯାଦବ ଦଳର ବରିଷ୍ଠ ନେତାଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବୈଠକ ପରେ ଅଖିଳେଶ ଯାଦବ କହିଛନ୍ତି ଯେ 2024 ନିର୍ବାଚନ ପାଇଁ କଂଗ୍ରେସ ଏହାର ଭୂମିକା ନିର୍ଣ୍ଣୟ କରୁଛି। ସମସ୍ତଙ୍କୁ ଏକାଠି କାମ କରିବାକୁ ପଡିବ। କେସିଆର, ମମତା ବାନାର୍ଜୀ, ନୀତୀଶ କୁମାର ଏବଂ ଏମ.କେ ଷ୍ଟାଲିନ ସମସ୍ତେ ଏକ ମିଳିତ ମଂଚ ପାଇଁ ଚେଷ୍ଟା କରୁଛନ୍ତି। ଏହି ପ୍ରୟାସ ସଫଳ ହେବ ବୋଲି ସମସ୍ତ ଆଶା ଅଛି।

ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ମାର୍ଚ୍ଚ 23ରେ ମମତା ବାନାର୍ଜୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଉଛନ୍ତି। ଆମେ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖୁଥିବା ଦଳ ସହ ଆଲୋଚନା କରିବୁ। ଆଞ୍ଚଳିକ ଦଳଗୁଡିକ ବିଜେପି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା ରଖିଛନ୍ତି। କଂଗ୍ରେସ ବିରୋଧୀ ଦଳର ‘ବିଗ୍ ବସ୍’ ବୋଲି ଭାବିବା ଏକ ଭ୍ରମ।

ସେ ଆହୁରି କହିଛନ୍ତି, ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଯାଇ ଯେଉଁ ବୟାନ ଦେଇଛନ୍ତି ତାକୁ ବିଜେପି ପ୍ରମୁଖ ଅସ୍ତ୍ର କରି ସାରିଛି। ଯେପର୍ଯ୍ୟନ୍ତ ରାହୁଲ କ୍ଷମା ନମାଗିବେ ଶାସକ ଦଳ ସଂସଦ ଚଳାଇ ଦେବ ନାହିଁ। ଗାନ୍ଧୀ ପରିବାର ବିରୋଧୀ ଭୂମିକାରେ ରହିଲେ ବିଜେପିକୁ ନିର୍ବାଚନ ଜିତିବା ସହଜ ହେବ । ତେଣୁ ବିଜେପି ମଧ୍ୟ ଚାହୁଁଛି ଗାନ୍ଧୀ ପରିବାରକୁ ବିରୋଧୀ ଭୂମିକାରେ ରଖିବାକୁ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ନୂଆ ସାମ୍ମୁଖ୍ୟ ଗଠନ କରିବେ ବୋଲି କୁହାଯାଉଛି। ଉଭୟ ବରିଷ୍ଠ ନେତା ଶୁକ୍ରବାର କୋଲକାତାରେ ସାକ୍ଷାତ କରିଛନ୍ତି। ଆସନ୍ତା ସପ୍ତାହରେ ମମତା ବାନାର୍ଜୀ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଭେଟିବାକୁ ଆସୁଛନ୍ତି। ଏହା ପଛର କାରଣ ଓଡିଶାରେ ବଢିଥିବା ବିଜେପି ଓ ବିଜେଡି ମଧ୍ୟରେ ଦୂରତା। ନବୀନଙ୍କ ଭାବମୂର୍ତି ଭଲ ଥିବାରୁ ତାଙ୍କୁ ଜାତୀୟ ରାଜନୀତିରେ ସାମିଲ କରି ଓଡିଶାରେ ବିଜେପିକୁ ଆଉ ଟିକିଏ ପଛକୁ ଠେଲିବାକୁ ଚାହୁଁଛନ୍ତି ଅଣ ବିଜେପି ଓ ଅଣ କଂଗ୍ରେସ ଦଳର ନେତା। ସେହିପରି ନବୀନଙ୍କୁ ବିରୋଧୀ ମଂଚରେ ସାମିଲ କରାଇପାରିଲେ ବିଜେପିକୁ ବଡ ଘାଟା ହେବ ବୋଲି ଭାବି ଏବେ ମମତା ନବୀନଙ୍କୁ ଭେଟିବାକୁ ଆସୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.