Latest Odisha News

BREAKING NEWS

ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁଞ୍ଜବିହାରିପୁର ଗାଁର ବଳିଆ ବାଘ ୨୦୧୭ ମସିହା ଅକ୍ଟୋବର ମାସ ୧୫ ତାରିଖ ଦିନ ତାଙ୍କ ଝିଅ ପ୍ରତିମା ବାଘକୁ ଘରର ଚାଷବାସ ଟଙ୍କା ଓ ଛେଳି ବିକ୍ରି ଟଙ୍କାର ହିସାବ ମାଗିଥିଲେ । ତେବେ ପ୍ରତିମା ହିସାବ କିମ୍ବା ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ବେଳେ ବଳିଆ ରାଗରେ ପ୍ରତିମାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଟାଙ୍ଗିଆ ଚୋଟରେ ପ୍ରତିମାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।

ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟାଙ୍ଗିଆ ଜବତ କରିବା ସହ ବଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାରେ ୨୦ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର ଅଭିଯୁକ୍ତ ବଳିଆକୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ପ୍ରଦୀପ କୁମାର ଦାସ ପରିଚାଳନା କରିଥିବା ବେଳେ ଅତିରିକ୍ତ ସରକାରୀ ଓକିଲ ପ୍ରଦୀପ କୁମାର ଭୁତିଆ ସହଯୋଗ କରିଥିଲେ ।

Leave A Reply

Your email address will not be published.