Latest Odisha News

ନିଦ୍ରା ଜନିତ ରୋଗ ପାଇଁ କିମ୍‍ସରେ ସ୍ଲିପ୍‍ ଲ୍ୟାବ୍‍

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ, କାମଚାପ, ଅଧିକ ସମୟ ମୋବାଇଲ ଫୋନ୍, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଦ୍ୱାରା ରାତିରେ ଠିକ୍ ଭାବେ ନିଦ ଆସି ନ ଥାଏ । ଯାହା ଦ୍ୱାରା ସାରା ଦିନ ଥକିବା ଭଳି ଅନୁଭବ ହୋଇଥାଏ । ତେବେ କିଛି ଲୋକ ଏହାକୁ ସାଧାରଣ ସମସ୍ୟା ବେଲି ଭାବି ଅଣଦେଖା କରିଥାନ୍ତି । କିନ୍ତୁ ରାତିରେ ଠିକ୍ ଭାବେ ନ ଶୋଇବା ଦ୍ୱାରା ଶରୀରରେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ବୋଲି କିମ୍‌ସ-ଭୁବନେଶ୍ୱରର ବିଶେଷଜ୍ଞମାନେ କହିଛନ୍ତି ।

ନିଦ୍ରା ଜନିତ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି କିମ୍‍ସ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ନିଦ୍ରା ଜନିତ ସମସ୍ୟା ଭୋଗୁଥିବା ରୋଗୀଙ୍କୁ ଦୃଷ୍ଟିରେ ରଖି ଓଡ଼ିଶାର କିମ୍‌ସରେ ପ୍ରଥମ ‘ସ୍ଲିପ୍ ଲ୍ୟାବ’ ଖୋଲାଯାଇଛି । ଏଥିରେ ୬୪ଟି ଚ୍ୟାନେଲ ରହିଛି ଓ ମଲ୍ଟି ଡିସିପ୍ଲିନାରୀ ଆଲୋଚନା ପାଇଁ କିମ୍‍ସରେ ଏକ ସ୍ଲିପିଙ୍ଗ୍ ବୋର୍ଡ ମଧ୍ୟ ଗଠନ କରାଯାଇଛି ।

ଭାରତରେ ପ୍ରାୟ ୫୦-୬୦ ପ୍ରତିଶତ ଯୁବପିଢ଼ି ନିଦ୍ରା ଜନିତ ସମସ୍ୟା ବା ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ (ଓଏସ୍‌ଏ)ରେ ପୀଡ଼ିତ ଥିବା ଜଣାପଡ଼ିଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ପ୍ରଭାବ ୧୭ ପ୍ରତିଶତ ମହିଳା ଏବଂ ୩୪ ପ୍ରତିଶତ ପୁରୁଷଙ୍କ ଉପରେ ପଡୁଥିବା ଦେଖିବାକୁ ମିଳିଥାଏ । ତେବେ ଅନ୍ୟ ଦେଶରେ ଏହାର ବ୍ୟାପକ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି ।

ନିଦ୍ରା ଜନିତ ସମସ୍ୟା ହେବାର ପ୍ରମୁଖ କାରଣ ହେଲା ଶ୍ୱାସ କ୍ରିୟାରେ ନିୟନ୍ତ୍ରଣ ନ ରହିବା, ଘୁଙ୍ଗୁଡ଼ି ମାରିବା, ଅଧରାତିରେ ନିଦ ଭାଙ୍ଗିବା, ଦିନରେ ପ୍ରଚୁର ନିଦ୍ରା ଯିବା, ସକାଳୁ ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ରୋଗ ନିର୍ଣ୍ଣୟ ହୋଇପାରିଲେ ଏହାର ଚିକିତ୍ସା ସମ୍ଭବ ବୋଲି ଫୁସ୍‌ଫୁସ୍‌, କର୍ଣ୍ଣ, ନାଶା, ଗଳା, ହୃଦ୍‌ରୋଗ, ସ୍ନାୟୁରୋଗ, ଏଣ୍ଡୋକ୍ରିନୋଲୋଜି, ମାନସିକ ରୋଗ, ଶିଶୁରୋଗ, ଫିଜିଓଲୋଜି ଏବଂ ଦନ୍ତ ଚିକିତ୍ସା ବିଭାଗ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।

ଆହୁରି ମଧ୍ୟ କହିଛନ୍ତି ଯେ ଠିକ୍ ସମୟରେ ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ(ଓଏସ୍‌ଏ) ରୋଗ ଚିହ୍ନଟ ହୋଇ ଚିକିତ୍ସିତ ନହେଲେ ଉଚ୍ଚ ରକ୍ତଚାପ, ମଧୁମେହ, ଥାଇରଏଡ୍‌, ସ୍ମୃତିଶକ୍ତି ହ୍ରାସ, ହୃଦ୍‌ରୋଗ, ଉଦାସୀନତା ରୋଗର କାରଣ ହୋଇପାରେ । ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ (ଓଏସ୍‌ଏ) ରୋଗର ବିଭିନ୍ନ ଚିକିତ୍ସା ପଦ୍ଧତି ରହିଛି । ଓଜନ ହ୍ରାସ କରୁଥିବା ବ୍ୟକ୍ତି, ମଦ୍ୟପାନ ଓ ତମାଖୁ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ରୋଗ ହେବାର ଆଶଙ୍କା ଦେଖା ଦେଇଥାଏ । ଏହି ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଘଟିଲେ ଓ ସମୟ ପୂର୍ବରୁ ରୋଗ ଚିହ୍ନଟ ହୋଇପାରିଲେ ଲୋକମାନେ ଏହି ରୋଗରୁ ମୁକ୍ତି ପାଇ ଏକ ସୁସ୍ଥ ଜୀବନଯାପନ କରିପାରିବେ ।

Leave A Reply

Your email address will not be published.