ପୁରୀ : ଶବ୍ଦକୁ ଦିଅନ୍ତି ଜୀବନ, ବୃକ୍ଷ ସହ ରହିଛି ତାଙ୍କର ନିବିଡ଼ ସମ୍ପର୍କ । କେତେବେଳେ ସେ ଗଛସହ ଗୁଣୁଗୁଣୁ ହୋଇ କଥା ହୁଅନ୍ତି ତ ପୁଣି କେତେବେଳେ ପରାସ୍ତ ଜହ୍ନରୁ ଜୋତ୍ସନା ତୋଳି ଆଣି ତାକୁ କବିତାର ରୂପ ଦିଅନ୍ତି । ଆମେ କହୁଛୁ ପୁରୀର କାମଦେବ ମହାରଣାଙ୍କ କଥା । ପେଶାରେ ସେ ଜଣେ ରେଳ ବିଭାଗର ବରିଷ୍ଠ କର୍ମଚାରୀ ହେଲେ ନିଶାରେ ଜଣେ କବି ।
ମୁଣ୍ଡରେ ରେଳ ବିଭାଗର ଗେଟ କିପର ଭାବରେ ବଡ ଗୁରୁ ଦାୟିତ୍ୱ ରହିଛି । ରେଳ ଆସିବା ପୂର୍ବରୁ ଖୁବ ସତର୍କତାର ସହ ଫାଟକ ବନ୍ଦ କରିବା ଦାୟୀତ୍ୱ ତାଙ୍କର । ଅନ୍ୟପଟରେ ତାଙ୍କର ଭିନ୍ନ ଏକ ପରିଚୟ ରହିଛି ସେ ଜଣେ ସାହିତ୍ୟିକ ମଧ୍ୟ। ଛାଇ ସହ ସବୁଦିନ, କବି ଓ କଫି ବଗିଚା ଭଳି ୩ଟି କବିତା ପୁସ୍ତକ ପ୍ରକାଶ ପାଇଥିବା ବେଳେ ‘ଦେବୀ’ ନାମରେ ଏକ ଉପନ୍ୟାସ ମଧ୍ୟ ରଚନା କରିଛନ୍ତି ।
୨୦୦୬ ମସିହାରେ ଭାରତୀୟ ରେଳ କର୍ମଚାରୀ ଭାବେ ନୂଆପଡ଼ାର ଖରିଆର ରୋଡ୍ରେ କର୍ମକ୍ଷେତ୍ରରେ ଯୋଗଦେବା ବେଳେ ନିଜ କ୍ବାର୍ଟର ସମ୍ମୁଖରେ ବଗିଚା ସୃଷ୍ଟି କରିଥିଲେ । ନିଜେ ମାଟି ମୁଣ୍ଡେଇ ବିଭିନ୍ନ ଗଛ ଲଗାଇ ଏଭଳି ଆକର୍ଷଣ ପରିବେଶ ସୃଷ୍ଟି କରିଥିଲେ, ଯାହାକୁ ଦେଖିବା ପାଇଁ ଉକ୍ତ ସହରରୁ ବହୁ ଲୋକଙ୍କ ଭିଡ଼ ଜମୁଥିଲା।
ଯାତ୍ରୀମାନେ ଫୋପାଡ଼ି ଦେଉଥିବା ପ୍ଲାଷ୍ଟିକ ପାଣି ବୋତଲ, ଭଙ୍ଗା ଚା କପ୍କୁ କାଟି ସେଥିରେ ମନି ପ୍ଲାଣ୍ଟ, ୬ପାଖୁଡ଼ିଆ ଅପରାଜିତା, ମନ୍ଦାର, ଦେଶୀ ଗୋଲାପ ସମେତ ବହୁ ପ୍ରକାରର ଗଛ ଲଗାଇଥିଲେ । କୌଣସି ଏକ ଲେବଲ କ୍ରସିଂ ଷ୍ଟେସନ ଏଭଳି ସବୁଜିମାରେ ଝଲମଲ ହେବା ଦେଖି ସେଠାକୁ ବହୁ ଲୋକ ସେଲଫି ନେବା ପାଇଁ ଆସୁଛନ୍ତି। ଗଛ ଓ ଫୁଲ ପ୍ରେମୀଙ୍କ ପାଇଁ ଏହା ଏକ ଦର୍ଶନୀୟ ସ୍ଥାନ ପାଲଟିଯାଇଛି। “ଯୋଗୀର ଆତ୍ମଚରିତ” ବହି ପଢି ପିଲାବେଳୁ ବୁଝିଥିଲେ ଗଛ ବି କଥା ହୁଅନ୍ତି । ତା ପରଠାରୁ ଗଛ ସହ ତାଙ୍କର ନିବିଡ଼ ସମ୍ପର୍କ ।
କର୍ମ ଓ ରୁଚି ମଧ୍ୟରେ ସମାନତା ଆଣି ଜୀବନକୁ ଦୁଇଭାଗରେ ବାଣ୍ଟିଦେଲେ ଜିଇଁବା ସହଜ ହୋଇଯାଏ ବୋଲି ଶିଖାଇଛନ୍ତି କାମଦେବ ।
Comments are closed.