Latest Odisha News

ଗେମଚେଞ୍ଜର ହେବ ରାହୁଲ ପ୍ରସଙ୍ଗ !

ଭୁବନେଶ୍ୱର: ମାତ୍ର ଅଳ୍ପ କିଛି ସମୟରେ ବଦଳିଯାଇଛି ଦେଶର ରାଜନୈତିକ ଚିତ୍ର। ଯିଏ ବ୍ୟାକଫୁଟରେ ଥିଲା ସେ ଫ୍ରଣ୍ଟଫୁଟରେ ଆଉ ଯିଏ ଫ୍ରଣ୍ଟରେ ଥିଲା ସେ ବ୍ୟାକରେ। ରାହୁଲଙ୍କ ପ୍ରସଙ୍ଗ ପରେ ଏବେ ଦେଶରେ ଏମିତି କିଛି ସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି।

ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ଓ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ଯାହାର ପରିଣାମ ସ୍ୱରୂପ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହୋଇଛି। ଏ କଥା ଆଇନ ଅନୁଯାୟୀ ହୋଇଥିଲେ ମଧ୍ୟ ସବୁ ଦୋଷ ଏବେ ବିଜେପିକୁ ଦିଆଯାଉଥିବା ଚର୍ଚ୍ଚା ହେଉଛି।

ଗାଁ ଗହଳିଠୁ ଆରମ୍ଭ କରି ସହରର ଗଳିକନ୍ଦି ସବୁଆଡେ ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା। ଯେଉଁମାନେ ରାହୁଲଙ୍କୁ ଆଦୌ ଗୁରୁତ୍ୱ ଦେଉ ନ ଥିଲେ କିମ୍ବା କଂଗ୍ରେସକୁ ନେଇ ସନ୍ତୁଷ୍ଟ ନ ଥିଲେ ସେମାନେ ଏବେ ରାହୁଲଙ୍କୁ ଭରପୁର ସପୋର୍ଟ କରୁଛନ୍ତି।

ସମାନ ଢଙ୍ଗରେ ଯେଉଁମାନେ ବିଜେପି ଓ ବିଜେପିର କେନ୍ଦ୍ରୀୟ ନେତାଙ୍କୁ ପ୍ରଶଂସା କରୁଥିଲେ ସେମାନେ ଏ ଘଟଣା ପରେ ବିଜେପିକୁ ସମାଲୋଚନା କରୁଥିବା ଚର୍ଚ୍ଚା ହେଉଛି। ତେଣୁ ଗୋଟିଏ ଘଟଣାରେ ଦେଶର ରାଜନୈତିକ ଚିତ୍ର ପୁରା ବଦଳିଯାଇଥିବା କୁହାଯାଉଛି।

ପୂର୍ବରୁ ସିବିଆଇ, ଇଡି ଓ ଆଇଟି ଦ୍ୱାରା ବିରୋଧୀ ଦଳର ବହୁ ନେତାଙ୍କୁ ଜେରା କରାଯିବା ସହ ବହୁ ଜାଗାରେ ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ଏହାକୁ ବିରୋଧୀ ବିଜେପିର ଆକ୍ରୋସମୂଳକ ରାଜନୀତି ବୋଲି କହି ଆସୁଛନ୍ତି। କିନ୍ତୁ ଏହା ଆଜି ଯାଏ ଲୋକଙ୍କ ଉପରେ ସେତେ ପ୍ରଭାବ ପକାଉ ନ ଥିଲା। ଏପରିକି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଦେଶର କିଛି ଅଂଶରେ ପ୍ରଭାବ ପକାଇଥିଲେ ମଧ୍ୟ ଦେଶବ୍ୟାପୀ ସବୁଆଡେ ଏହାର ପ୍ରଭାବ ନ ଥିଲା। କିନ୍ତୁ ରାହୁଲଙ୍କ ସଭ୍ୟ ପଦ ରଦ୍ଦ ଏମିତି ଗୋଟେ ଘଟଣା ଯାହା ସାରା ଦେଶରେ ପ୍ରଭାବ ପକାଇଥିବା କୁହାଯାଇଛି।

ଏପରିକି ସୁରଟ କୋର୍ଟଙ୍କ ଦଣ୍ଡବିଧାନ ଯାଏ ମଧ୍ୟ କଥା ଠିକ ଥିଲା ବୋଲି କୁହାଯାଉଛି। କିନ୍ତୁ କୋର୍ଟଙ୍କ ନିର୍ଦେଶର କେଇ ଘଣ୍ଟା ନ ପୁରୁଣୁ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ କରାଯିବା ଘଟଣାକୁ ଭିନ୍ନ ମୋଡ଼ ଦେଇଛି। ଯେଉଁ ଘଟଣା ମନ ମିଶୁ ନ ଥିବା ବିରୋଧୀଙ୍କ ମନ ମିଶାଇଦେବା ସହ କଂଗ୍ରେସ ସହ ସମସ୍ତଙ୍କୁ ଯୋଡି ଦେଇଛି।

ଏପରିକି ତା ପରେ ପରେ ରାହୁଲଙ୍କୁ କ୍ୱାଟର ଛାଡିବାକୁ ନୋଟିସ ଦେବା ଆଉ ଏକ ଚର୍ଚ୍ଚାର କାରଣ ହୋଇଛି। ଆଇନଗତ ପ୍ରକ୍ରିୟା ଅନୁଯାୟୀ ଏ ସବୁ ହୋଇଥିଲେ ମଧ୍ୟ ସାଧାରଣ ଲୋକେ କିନ୍ତୁ ଏ ସବୁ ପାଇଁ ବିଜେପିକୁ ଦାୟୀ କରୁଥିବା ଦେଖାଯାଇଛି। ଯାହାକି ବିଜେପିକୁ ଲୋକଙ୍କ ନିକଟରେ ଅଧିକ ବଦନାମ କରୁଥିବା ଚର୍ଚ୍ଚା ହେଉଛି।

ଏପରିକି ବିମୁଦ୍ରୀକରଣଠୁ ଆରମ୍ଭ କରି ଦରଦାମ ବୃଦ୍ଧି, ସାମ୍ବିଧାନିକ ସଂସ୍ଥାକୁ ବ୍ୟବହାର କରି ବିରୋଧୀଙ୍କ କଣ୍ଠରୋଧ ଆଦି ଅଭିଯୋଗ ଲୋକଙ୍କୁ ଯେତିକି ଛୁଇଁ ନ ଥିଲା ରାହୁଲଙ୍କ ପ୍ରସଙ୍ଗ ତାଠୁ କାହିଁ କେତେ ଗୁଣରେ ଅଧିକ ଛୁଇଁଥିବା କୁହାଯାଉଛି। ସ୍ଥିତି ଏମିତି ହୋଇଛି ଯେ ଆଗକୁ ରାହୁଲଙ୍କ ବିରୋଧରେ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ନିଆଗଲେ ତାର ଲାଭ ରାହୁଲଙ୍କୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

ଦେଶର ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ଏଭଳି ସ୍ଥିତିରେ ଖୋଦ କଂଗ୍ରେସ ଏକଜୁଟ ହୋଇପାରୁ ନ ଥିଲା କିମ୍ବା ବିରୋଧୀ ଏକଜୁଟ ହୋଇପାରୁ ନ ଥିଲେ। ବିଜେପି ଆହୁରି ଶକ୍ତ ହେଉଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ଗୋଟିଏ ଘଟଣା ସ୍ୱତଃ ଦେଶର ରାଜନୈତିକ ସ୍ଥିତିକୁ ଓଲଟାଇଦେଇଥିବା କୁହାଯାଉଛି।

ଭାରତ ରାଜନୀତିରେ ଆଗରୁ ଏଭଳି ଘଟଣା ଘଟିଥିବା ବେଳେ ଲୋକପ୍ରିୟ ସରକାରକୁ ବହୁମୂଲ୍ୟ ଦେବାକୁ ପଡିଛି। ତେଣୁ ଏବେ ରାହୁଲଙ୍କ ଏହି ଘଟଣା ଆଗକୁ କିଭଳି ରୂପ ନେଉଛି ତାକୁ ସମସ୍ତେ ଚାହିଁ ବସିଛନ୍ତି। କିନ୍ତୁ ଏହି ଘଟଣା ପରେ ଲୋକଙ୍କ ଭିତରେ ରାହୁଲ ଓ କଂଗ୍ରେସ ପ୍ରତି ସୃଷ୍ଟି ହୋଇଥିବା ସହନୁଭୁତିକୁ କଂଗ୍ରେସ ନିର୍ବାଚନ ଯାଏ ବଞ୍ଚାଇ ରଖିବା ଆବଶ୍ୟକ ବୋଲି କୁହାଯାଉଛି। ସେପଟେ ଏହି ଘଟଣା ପାଇଁ ସମାଲୋଚନାର ଶିକାର ହୋଇଥିବା ବିଜେପି ପୁଣିଥରେ ଲୋକପ୍ରିୟତା ପାଇବା ପାଇଁ କି ପନ୍ଥା ଆପଣାଉଛି ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

Comments are closed.