ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିବିଧ ସେବା କାର୍ଯ୍ୟରେ ଲିପ୍ତ ବିଭିନ୍ନ ସେବକମାନଙ୍କ ବିଷୟରେ ଆଲୋଚନା ଚାଲିଛି। ସେହି କ୍ରମରେ ଆଜି ଆଲୋଚନା କରିବା ମହାପ୍ରଭୁଙ୍କ ଛତିଶା ନିଯୋଗ ମଧ୍ୟରେ ଅନ୍ତର୍ଭୁକ୍ତ ମୁଦୁଲି ସେବକଙ୍କ ବିଷୟରେ। ମାଦଳା ପାଞ୍ଜି ବର୍ଣ୍ଣନା ଅନୁସାରେ ରାଜା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ସୄଷ୍ଟ ପ୍ରଥମ ସେବକ ଗୋଷ୍ଠୀ(ଛତିଶ ନିଯୋଗ )ମଧ୍ୟରେ ଏହି ମୁଦୁଲି ସେବା ଅନ୍ତର୍ଭୁକ୍ତ ଅଟେ। ତେଣୁ ଏହା ବଂଶାନୁକ୍ରମିକ ସେବା ଅଟେ। ଏହି ମୁଦୁଲି ସେବକମାନଙ୍କ ମୂଖ୍ୟ ସେବା ହେଲା ଆବଶ୍ୟକତା ଅନୁଯାୟୀ ପୂଜା ଉପକରଣ ସମ୍ପୃକ୍ତ ସେବକମାନଙ୍କୁ ଯୋଗାନ୍ତି ଓ ଫେରାଇ ନିଅନ୍ତି। ପାତ୍ରସଜ, ପୂଜା ଉପକରଣ ଦାୟିତ୍ୱରେ ଏହି ସେବକମାନେ ରହିଥାନ୍ତି, ସକାଳେ ଭିତରଛ ଓ ଅନ୍ୟାନ୍ୟ ସମ୍ପୃକ୍ତ ସେବକଙ୍କ ଉପସ୍ଥିତିରେ ଦକ୍ଷିଣ, ଜୟ ବିଜୟ , କଳାହାଟ ଦ୍ୱାର ପ୍ରଭୃତି ଦ୍ୱାରର ମୁଦ ଖୋଲିବା ସହ ଭିତର କାଠରୁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ଚନ୍ଦନ ଛେରା ପକାନ୍ତି ।
ପହଡ଼ ପରେ ତିନି ଦ୍ୱାର ବନ୍ଦ କରନ୍ତି, ମୁଦ୍ରା ଛାପ ଦିଅନ୍ତି ଓ ତଳିଛ ମୁଦ ଦିଅନ୍ତି। ରଥଯାତ୍ରା ସମୟରେ ମଧ୍ୟ ଗୁଣ୍ଡିଚାଘରେ ଅନୁରୂପ ସେବା କରିଥାନ୍ତି। ରଥ ଉପରେ ଛେରା ପହଁରା ବେଳେ ସମସ୍ତ ସାମଗ୍ରୀ ଧରି ଭଣ୍ଡାର ମେକାପଙ୍କ ସହ ଉପସ୍ଥିତ ରହନ୍ତି। ଚନ୍ଦନ ଯାତ୍ରା ସମୟରେ ଅଳଙ୍କାର ପେଡି ନେଇ ଚାପରେ ଉପସ୍ଥିତ ରହନ୍ତି. ସବୁଠୁ ନିଆରା ସେବା ରୂପେ ମହାପ୍ରଭୁଙ୍କ ଦର୍ଶନ ବେଳେ ଭକ୍ତ ଓ ଯାତ୍ରୀମାନଙ୍କ ମୁଣ୍ଡରେ ଯଉଁଲି ବେତ ଛୁଆଇଁଥାନ୍ତି । ଆଗାମୀ ଅଧ୍ୟାୟରେ ଜାଣିବା ଆଉ ଜଣେ ସେବକଙ୍କ ବିଷୟରେ, ବର୍ତ୍ତମାନ ଆରାଧନା ଓ ଭାଗବତ ପାଠ।
ସର୍ବ ଶରୀର ପଞ୍ଚଭୁତେ
ରଚିତ ଏ ମାୟା ଜଗତେ ।
ସକଳ ଦେହେ ଏକ ଧର୍ମ
ସକଳ ଦେହେ ଏକ ବ୍ରହ୍ମ ।
କେ ବୋଲି ପଚାରିଲ ମୋତେ
ଏ ପ୍ରଶ୍ନ ଘଟିବ କେମନ୍ତେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.