ଜଗତସିଂହପୁର : ଦିନକୁ ଦିନ ବଢ଼ିଲାଣି ତାତି । ପାଣି ପାଇଁ ଡହଳ ବିକଳ ହେଲେଣି ଲୋକେ । ହେଲେ ଲୋକଙ୍କ ପାଖରେ ପହଞ୍ଚି ପାରୁନି ସ୍ୱଚ୍ଛ ପାନୀୟ ଜଳ । ପ୍ରତ୍ୟେକ ପଞ୍ଚାୟତରେ ବସୁଧା ଯୋଜନା ମାଧ୍ୟମରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ମାନ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର। ଦୀର୍ଘଦିନ ଧରି ଅଚଳ ରହିଥିବା ପାଣି ଟାଙ୍କିକୁ କରାଯାଉଛି କାର୍ଯ୍ୟକ୍ଷମ। ହେଲେ ସଠିକ ସମୟରେ ଲୋକଙ୍କ ପାଖରେ ପାଣି ପହଞ୍ଚି ପାରୁନାହିଁ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ସମଙ୍ଗ ପଞ୍ଚାୟତରେ।
୨୦୧୪ ମସିହାରେ ଗାଁର ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାପାଇଁ ଏକ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଲୋକମାନଙ୍କ ଘର ନିକଟରେ ଷ୍ଟାଣ୍ଡ ପୋଷ୍ଟ କରାଯାଇଥିଲା। ହେଲେ ୯ ବର୍ଷ ବିତିଯାଇଥିଲେ ମଧ୍ୟ ପାଣି ସମସ୍ୟା ଦୂର ହୋଇପାରୁନି । ବର୍ତ୍ତମାନ ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଭାଙ୍ଗି ରୁଜି ଗଲାଣି ହେଲେ ପାଣି ଟୋପେ ଲୋକେ ପାଇପାରିଲେ ନାହିଁ।
ସମଙ୍ଗ ପଞ୍ଚାୟତରେ ୮ବର୍ଷ ତଳେ ନିର୍ମାଣ ହୋଇଥିଲା ଏକ ପାନୀୟଜଳ ପ୍ରକଳ୍ପ। କିଛିଦିନ ଚାଲିବା ପରେ ଗତ ତିନି ବର୍ଷ ହେବ ସେହି ପ୍ରକଳ୍ପରୁ ପାଣି ସପ୍ଲାଇ ବନ୍ଦ ହୋଇ ପଡ଼ିଛି। ଏବେ ପଞ୍ଚାୟତରେ ନୂତନ ଭାବରେ ଆଉ ଏକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଲୋକମାନଙ୍କ ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ହୋଇ ଭାଙ୍ଗି ଗଲାଣି ହେଲେ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନି ସପ୍ଲାଇ ପାଣି।
ତେବେ ପ୍ରଶ୍ନ ଉଠୁଛି ସରକାର ଏହି ପ୍ରକଳ୍ପକୁ କାହା ସ୍ୱାର୍ଥରେ କରୁଛନ୍ତି? କେବଳ ଲୋକ ଦେଖାଣିଆ ? ସବୁଠୁ ବଡ଼ କଥା ହେଉଛି ସମ୍ପୂର୍ଣ ଅଚଳ ହୋଇ ପଡ଼ିଥିବା ପାଣି ଟାଙ୍କିକୁ ପ୍ରତ୍ୟେକ ବର୍ଷ ରଙ୍ଗ କରାଯାଇ ଅର୍ଥ ହରିଲୁଟ ଚାଲିଛି ହେଲେ ପିଇବା ପାଣି ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଛି ।ଏନେଇ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ କରି ଲୋକଙ୍କ ପାଖରେ ପାଣି ପହଞ୍ଚାଇବା ପାଇଁ ଦାବି କରିଛନ୍ତି ପଞ୍ଚାୟତବାସୀ । ଏଥିସହ ପାନୀୟ ଜଳ ପ୍ରକଳ୍ପ ଗୁଡିକରେ ନିମ୍ନମାନର କାର୍ଯ୍ୟକରି ଟଙ୍କା ହରିଲୁଟ କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି ।
Comments are closed.