Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ସେଇ ମଧୁ ତାଙ୍କୁ ଆଜି ଶ୍ମଶାନ ଭୂମିକୁ ନେଇ ଆସିଛି, ତାଙ୍କର ବିବେକଶୂନ୍ୟତା ପାଇଁ ଅଭିଶାପ ଦେବା ଉଦ୍ଦେଶ୍ୟରେ ।
ତାଙ୍କ କାନରେ ପ୍ରତିଧ୍ୱନି ତୋଳୁଛି ମଧୁମତୀର ସ୍ୱର- ମୁଁ ଆଜି ମୁକ୍ତ… ଚିନ୍ତାଶୂନ୍ୟ । ତମକୁ ବିବାହ ନକରି ମୁଁ ମରିଯାଇଛି । ତମର କଳଙ୍କିତ ଜୀବନ ସହ ଛନ୍ଦି ନହୋଇ ମୁଁ ତ୍ରାହି ପାଇଛି । ତମେ ଏକ ଦୁର୍ବଳ ପାଦପ । ଆଶ୍ରୟ ପାଇଁ ତୁମ ଉପରେ ଗୁଡ଼େଇ ହୋଇଥିଲେ ମୁଁ ତିଷ୍ଠି ପାରି ନଥା’ନ୍ତି । ବିଷ୍ଫାରିତ ପଲକକୁ ଚନ୍ଦ୍ରଭାନୁ ନୀମିଳିତ କଲେ । ଟପ୍‌ଟପ୍ ଦି’ଧାର ଲୁହ ଖସି ଆସିଲା ତାଙ୍କର ଗୌରଗଣ୍ଡ ଦେଇ । ସେଇ ଲୁହବିନ୍ଦୁର ବିରାଟ ବଳୟ ଭିତରେ ଫୁଟିଉଠିଲା ଆଉ ଜଣକର ଛବି ।

ସେ ଉମା…. !

ଅଶ୍ରୁ ସଜଳ ନୟନରେ ପାଦେ ପାଦେ କରି ସେ ଯେପରି ଗାଁ ପୋଖରୀକୁ ପାଦ ବଢ଼ାଉଛି । ଲକ୍ଷ୍ୟ ତା’ର ଗଭୀର ଜଳରେ ନିଜକୁ ସମର୍ପଣ କରିବା । ଚାଟୁକଥାର ମୋହ ଭିତରେ ତାକୁ ବାନ୍ଧି ଦେଇ ଚନ୍ଦ୍ରଭାନୁ ତା’ କୁମାରୀତ୍ୱକୁ ଲୁଣ୍ଠନ କରିଛନ୍ତି ।

ଅନ୍ତଃସତ୍ତ୍ୱା ଉମା ତାଙ୍କ ପ୍ରବଞ୍ଚନାର ଶୀକାର ହୋଇ ଜୀବନ ରଙ୍ଗମଞ୍ଚରେ ଯବନୀକାପାତ କରିଛି ।

ଚନ୍ଦ୍ରଭାନୁଙ୍କ ବିଚାରବୋଧର ସ୍ନାୟୁତନ୍ତ୍ରୀ ସବୁ ଯନ୍ତ୍ରଣାରେ ଅସ୍ଥିର ହୋଇଉଠିଲା ।

ସେତେବେଳେ ତାଙ୍କୁ ଦିଶିଲା ନାହିଁ, ଘାଟୀ ତଳେ ଉମା ସହ ରଚିଥିବା ପ୍ରଣୟ ଅଭିସାରର ନାରକୀୟ ଦୃଶ୍ୟ । ତାଙ୍କ ଦୃଷ୍ଟିର ବଳୟ ଭିତରେ ଫୁଟିଉଠୁଥିଲା; ରାତ୍ରିର ନୀରବ ଲଗ୍ନରେ ଗାଁ ପୋଖରୀରେ ଲମ୍ଫ ଦେଉଥିବା ଗୋଟିଏ କୁମାରୀ କନ୍ୟାର ପ୍ରତିଛବି । କଣ୍ଠରେ କରୁଣତାର ଲହରୀ ଭାଙ୍ଗି ସେ ପୋଖରୀରେ ଆତ୍ମଦାନ କରୁଛି- ତମେ ଲମ୍ପଟ … ବିଶ୍ୱାସଘାତକ । ଆଶାର ଇନ୍ଦ୍ରଧନୁ ଦେଖାଇ ତମେ ମୋ ଜୀବନକୁ ବିବର୍ଣ୍ଣ କରିଛ । ତମ ସନ୍ତାନକୁ ଗର୍ଭରେ ଧାରଣ କରି ଆଜି ମୁଁ କଳଙ୍କିନୀ ଭାବେ ଆତ୍ମହତ୍ୟା କରୁଛି । ନାରୀ ହତ୍ୟା, ଶିଶୁହତ୍ୟା ଅପରାଧରେ ତମ ଜୀବନ ଚିର ଅଶାନ୍ତ ହେଉ…. !!!

ଆଃ, ଏକ ଅସ୍ପଷ୍ଟ ଚିତ୍କାର କରିଉଠିଲେ ଚନ୍ଦ୍ରଭାନୁ । ଚାହୁଁ ଚାହୁଁ ଯେମିତି ଉମା ପୋଖରୀ ଗର୍ଭକୁ ଡେଇଁ ପଡ଼ିଲା।

କ୍ରମଶଃ

Comments are closed.