ଭୁବନେଶ୍ୱର : ୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ମନ୍ଦିର ମାଳିନୀ ମାଟି ଉପରେ ତିଆରି ହୋଇଥିଲା ନୂଆ ନଗର । ୧୯୪୮ ମସିହା ଏପ୍ରିଲ ୧୩ରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ପ୍ରତିଷ୍ଠା ପରେ ୧୦ବର୍ଷ ମଧ୍ୟରେ ଏହାର ଜନସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇବା ସହ କ୍ଷେତ୍ରଫଳ ୧୩୨ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା । ଆଉ ଏବେ ରାଜଧାନୀ ଭୁବନେଶ୍ୱରର ରୂପ, ରଙ୍ଗ ବଦଳିଛି ଖ୍ୟାତି ବଢ଼ିଛି ।
ବୌଦ୍ଧ, ଜୈନ, ଶୈବ ଓ ମହିମା ଭଳି ସମ୍ମିଳିତ କ୍ଷେତ୍ର ଭୁବନେଶ୍ବର । ଭୁବନେଶ୍ୱର ଭିତରେ କେବଳ ଯେ କୋଠାବାଡ଼ି, ରାସ୍ତାଘାଟ, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନର କଳେବର ବଢ଼ିଛି, ତାହାନୁହେଁ, ବଦଳିଛି ଲୋକଙ୍କ ଜୀବନ ଶୈଳୀ ଓ ଆଚାର-ବିଚାର । ରାଜଧାନୀ ହେବା ପରେ ଆଉ ପଛକୁ ଫେରି ଚାହିଁନି ଭୁବନେଶ୍ୱର । ଏବେ ଦେଶର ଅନ୍ୟତମ ବ୍ୟସ୍ତବହୁଳ ସହର ହେଉଛି ଭୁବନେଶ୍ୱର । ସହର ଭିତରେ ମାଳ ମାଳ ମନ୍ଦିର । ତେଣୁ ଭୁବନେଶ୍ୱର ମନ୍ଦିରମାଳିନୀ ନାଁରେ ପରିଚିତ । ସମୟ ସହିତ ତାଳ ଦେଇ ବଢିବାରେ ଲାଗିଛି ଭୁବନେଶ୍ବର ।
ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବାରେ ବହୁତ ଆଗକୁ ଯାଇଛି ରାଜଧାନୀ । କଳିଙ୍ଗ ଷ୍ଟାଡିୟମରେ ଦୁଇ ଦୁଇ ଥର ସଫଳତାର ସହ ହକି ବିଶ୍ୱକପ ଅନୁଷ୍ଠିତ ହୋଇଛି । ଏଥିପାଇଁ କେବଳ ଦେଶରେ ନୁହେଁ, ଏବେ ସାରାବିଶ୍ୱରେ ଭୁବନେଶ୍ୱରକୁ ନେଇ ଚର୍ଚ୍ଚା ହୋଇଛି । ପୂର୍ବ ଭାରତରେ ଆଇଟି ହବ୍ ଭାବେ ପରିଚୟ ପାଇଛି ଭୁବନେଶ୍ୱର । ରାଜଧାନୀରେ ରହିବାର ନିଶା ଯୋଗୁଁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ଲୋକଙ୍କୁ ଆକର୍ଷିତ କରି ଟାଣି ଆଣିଲା ଭୁବନେଶ୍ୱର । ଭୁବନେଶ୍ୱରରେ ରହିଛି ହଜାର ହଜାର ବର୍ଷର ଇତିହାସ ।
ବିଗତ ୭୪ ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଅନେକ ବଦଳିଛି । ବିକାଶ ପଥରେ ବହୁତ ଆଗକୁ ଯାଇଥିଲେ ବି ଅନେକ ସମସ୍ୟା ରହିଯାଇଛି। ଯେପରି ଟ୍ରାଫିକ୍ ସମସ୍ୟା, ଅପରାଧ, ମାଷ୍ଟର ପ୍ଲାନ୍ ପରେ ଗଢ଼ି ଉଠିଥିବା ଅଞ୍ଚଳକୁ ଶୃଙ୍ଖଳିତ କରିବା ବିଶେଷ କରି ଜଳ ନିଷ୍କାସନ ସମସ୍ୟା । ଏହି ସମସ୍ୟାକୁ ଏଡ଼ାଇବା ପାଇଁ ପ୍ରଶାସନ ବାରମ୍ବାର ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଛି ଏହାସହ ରାଜଧାନୀ ବାସିନ୍ଦାଙ୍କ ସହଯୋଗର ଆବଶ୍ୟକ ରହିଛି ।
Comments are closed.