ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିଛନ୍ତି । ଖାସ କରି ପିଏମ୍ ଆବାସ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଗିରିରାଜ। କହିଛନ୍ତି, ୟୁପିଏ ସରକାର ସମୟରେ ମାତ୍ର ୧୦ ଲକ୍ଷ ଘର ଓଡ଼ିଶାକୁ ମିଳିଥିବା ବେଳେ ମୋଦି ସରକାର ଆସିବା ପରେ ପାଖାପାଖି ୨୮ ଲକ୍ଷ ଘର ଓଡ଼ିଶାକୁ ଦିଆଯାଇଛି । କିନ୍ତୁ ଓଡ଼ିଶା ସରକାର ନା ହିତାଧିକାରୀଙ୍କୁ ଘର ଦେଉଛନ୍ତି ନା ଏଯାଏଁ କେନ୍ଦ୍ର ଦେଇଥିବା ପାଖାପାଖି ୧ ଲକ୍ଷ ୨୫ ହଜାର କୋଟିରୁ ଅଧିକ ଟଙ୍କାକୁ ଏଯାଏଁ ଠିକଣା ବାଟରେ ଖର୍ଚ୍ଚ କରିପାରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବନୁଥିବା ଘରେ ବିଜୁ ପକ୍କାଘର ଲୋଗୋ ମରା ହେବା ନେଇ ମଧ୍ୟ ଗର୍ଜିଛନ୍ତି ଗିରିରାଜ । ମୋଦି ସରକାର ଚାହାଁନ୍ତି, ଓଡ଼ିଶାରେ ଗରିବଙ୍କୁ ତାଙ୍କ ଅଧିକାର ମିଳୁ, ଘର ମିଳୁ, ଯେଉଁଥିପାଇଁ ସେ କୋଟି କୋଟି ଟଙ୍କାର ଅର୍ଥ ପ୍ରଦାନ କରୁଛନ୍ତି । କିନ୍ତୁ ଓଡ଼ିଶା ସରକାର ଏଥିରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଜିଲ୍ଲା ଖଣିଜ ପାଣ୍ଠିକୁ ରାଜ୍ୟ ସରକାର ଲୁଟ କଲା ଭଳି ମନରେଗା ଅର୍ଥକୁ ମଧ୍ୟ ସଂପୂର୍ଣ୍ଣ ଭାବରେ ଲୁଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗିରିରାଜ ସିଂହ ।
ସେପଟେ ନିକଟରେ ସମ୍ବଲପୁରରେ ଦେଖାଦେଇଥିବା ହିଂସା ପରିପ୍ରେକ୍ଷୀରେ ଗିରିରାଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶା ସରକାର ତୃଷ୍ଟିକରଣ ରାଜନୀତି କରୁଛନ୍ତି। ଦଙ୍ଗାକାରୀଙ୍କୁ ସୁରକ୍ଷା ଦେଉଛନ୍ତି। ୭୫ ବର୍ଷରେ ଓଡ଼ିଶାର କେବେ ହିନ୍ଦୁ ତେଜିଆ ଉପରେ ପଥର ପକେଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଗିରିରାଜ ? ଯଦି ପଥର ପକେଇନାହାନ୍ତି ତାହେଲେ କାହିଁକି ଆଜି ସମ୍ବଲପୁରର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥର ପକାଗଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । କେନ୍ଦ୍ର ଦେଇଥିବା ଅର୍ଥର ହିସାବ ଦେଇ ରାଜ୍ୟ ସରକାର କେବଳ ନିଜ ଦୋଷ, ଲୁଚାଇବା ପାଇଁ କେନ୍ଦ୍ର ଅବହେଳା କଥା ଉଠାଉଛନ୍ତି ବୋଲି କହିଛନ୍ତି ଗିରିରାଜ । କେବଳ ସେତିକି ନୁହେଁ, ଓଡ଼ିଶାରେ ଅଫିସର ରାଜ୍ ଚାଲିଥିବା କହି ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ।