Latest Odisha News

ଭାଷା ଭାଗବତ : ଅନୁଭୂତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ

ସ୍ବାନୁଭୂତିରୁ ଜାତ ସତ୍ୟ
ଯୋଗୁଁ ସଭିଏଁ ଉପକୃତ
ସବୁଠି ନ ହେଲେ ସଂପୃକ୍ତ
ମୁକୁଳା ହୁଏ ସିଧା ପଥ

ଅନ୍ୟ ଲୋକଂକ ମତାମତ
ପଢ଼ି ନ ହେଲେ ବିଚଳିତ
ଚିଂତା ହୋଇବ ବ୍ୟବସ୍ଥିତ
ବ୍ୟକ୍ତି ବି ହେବ ସୁନିଶ୍ଚିତ

ମଥାରେ ଭରି ଆବର୍ଜନା
ସର୍ବଦା ହେଲେ ଆନମନା
ନିଜର ବାସ୍ତବ ଭାବନା
ମନରୁ ବାହାରି ପାରେନା

ନିଜେ ରହିଲେ ନିଜ ସହ
ଜୀବନ ନୁହେ ଦୁଃଖାବହ
ଅନ୍ୟ ସହିତ କଲେ ତର୍କ
ଜଟିଳ ହୁଅଇ ସଂପର୍କ

ଟାଣି ଆପଣା ସୀମାରେଖା
ଯେ ହୁଏ ସମୟର ସଖା
କରେନି କାଳ ଅପଚୟ
ନିଜ କାମରେ ରଖେ ଲୟ

ଯାହାକୁ ଜୁଟେନାହିଁ କାମ
ତାହାର ମନେ ଥାଏ ଭ୍ରମ
ଜାଣେନି ନିଜକୁ ବରଗି
ଅନ୍ୟକୁ କଥା କହେ ରାଗି

ବିଶ୍ବକୁ କରୁଥିଲେ ଦାୟୀ
ନିଜ ଦକ୍ଷତା ଅନୁଯାୟୀ
କେବେ ବି, କିଛି ବି ନ କରି
ପୂରା ଆୟୁଷ ଦିଏ ସାରି

ଶେଷକୁ କଲେ ପଶ୍ଚାତ୍ତାପ
ପିଂଡରୁ ସରିଲେ ଉତ୍ତାପ
ମିଳେନି ବଳ କିଂବା ବେଳ
ପାଏ ନିଷ୍କର୍ମା ହେବା ଫଳ

ନିଜ ଭାଷାରେ ମନକଥା
ଲେଖି ପାଳିଲେ ନିରବତା
ଅକ୍ଷର ହୁଏ ଦୀର୍ଘଜୀବୀ
କଥାଠୁଁ ଅଧିକ ପ୍ରଭାବୀ

ଯାହାର ଅଛି ଲିପି ଜ୍ଞାନ
ସେ କଲେ ଭାବନା ଲିଖନ
ହୁଏ ଭାଷାର ସର୍ବୋନ୍ନତି
ବ୍ୟକ୍ତିକୁ ମିଳେ ସ୍ବତଃ ଖ୍ୟାତି

ବ୍ୟକ୍ତି ବଂଦନା କରି କରି
ଶକ୍ତି, ସମୟ ଦେଲେ ସାରି
ଦୁର୍ଲଭ ହୁଏ ବେଳ, ବଳ
ମିଳେନି କେବେ ଇଚ୍ଛା-ଫଳ

କାହାର ଇଚ୍ଛା ଅନୁଯାୟୀ
ସଂପୂର୍ଣ ଭାଷା ଚଳେନାହିଁ
ଭାଷାଂଶ ବ୍ୟବହାର କରି
କର୍ତବ୍ୟ ହୁଏ ଶୀଘ୍ର ସାରି

Comments are closed.