ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଆଲେଖ୍ୟ
ସାରା ରାଜ୍ୟରେ ଅସାଧାରଣ ପ୍ରତିଭା ସଂପନ୍ନ ଆଇନଜ୍ଞ ଚରମ ଜାତୀୟତାବାଦୀ ମହାର୍ଘ ଓ ମହନୀୟ ବ୍ୟକ୍ତିତ୍ୱ ଉତ୍କଳ ଗୈାରବ ମଧୁସୂଦନଙ୍କ ଜନ୍ମ ଜୟନ୍ତୀକୁ ଆଇନଜୀବି ଦିବସ ଭାବେ ବିଭିନ୍ନ ବାର୍ ଆସୋସିଏସନ୍ ପକ୍ଷରୁ ପାଳନ କରାଯାଉଥିବା ବେଳେ ମଧୁ ଆଦଶ ର୍ଓ ବିଚାରଧାରାର ପ୍ରାସଙ୍ଗିକତା ଗୁରୁତ୍ୱପୂର୍ଣ୍ଣ ବୋଲି ଉପଲବ୍ଧି ହେଉଛି । ସାମ୍ପ୍ରତିକ ପରିସ୍ଥିତିରେ ଦେଶର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥା ଗୁଡିକ ଦିନକୁ ଦିନ ଦୁର୍ବଳ ହୋଇ ପଡୁଥିବା ବେଳେ ମଧୁବାବୁଙ୍କ ପରି ସ୍ୱାଭିମାନୀ ଆଇନଜୀବୀମାନଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ମଧୁବାବୁଙ୍କ ଜନ୍ମର ୧୭୫ ବର୍ଷପରେ ଆମର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବାସ୍ତବତା ମଧୁବିଚାରକୁ ନେଇ ଆତ୍ମଚିନ୍ତନର ଏକ ନୂତନ ଦିଗଟିଏ ଭଳି ବିବେଚନା କରିବାକୁ ଦିଗ ନିର୍ଣ୍ଣୟ କରୁଛି । ଆଇନ ପେଷାରେ ନୀତି, ଆଦର୍ଶ, ମୂଲ୍ୟବୋଧ ଓ ସାଧୁତାର ପ୍ରତିଫଳନ ସେ ପରିଚାଳନା କରୁଥିବା ମକଦ୍ଦମାର ଘଟଣାବଳୀରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା ।
ଆଜି ଆମ ରାଜ୍ୟରେ ଆଇନ ପେଷାର ସ୍ୱାଧ୍ôନତା ଓ ଆଇନଜୀବୀଙ୍କ ସ୍ୱାଭିମାନ ପ୍ରସଙ୍ଗରେ କୈାଣସି ଆଲୋଚନା ମଧୁବାବୁଙ୍କ ବ୍ୟତିରେକ ଚିନ୍ତା କରାଯାଇ ପାରିବ ନାହିଁ । ସ୍ୱାଧୀନୋତ୍ତର
ଭାରତବର୍ଷର ଇତିହାସରେ ରାଜ୍ୟର ଅଠାବନ ଜଣ ଆଇନଜୀବୀ ଦୀର୍ଘ ଦୁଇମାସ ଜେଲରେ ଥିବା ଘଟଣା ମଧୁବାବୁଙ୍କ ଭଳି ସ୍ୱାଭିମାନୀ ଆଇନଜୀବୀ ପ୍ରଜାତିର ବ୍ୟକ୍ତିତ୍ୱଙ୍କ ଆବଶ୍ୟକତାକୁ ଆହୁରି ବଳିଷ୍ଠ କରି ରଖିଛି । ନ୍ୟାୟିକ ପ୍ରକ୍ରିୟାରେ ଆଇନଜୀବୀମାନଙ୍କ ଭୂମିକା ବିଶେଷ କରି ଦୁର୍ବଳ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କୁ ଆଇନଗତ ସହାୟତା ଦେବା ଓ ସେମାନଙ୍କ ଜୀବନ ଜୀବିକାର ଲଢେଇ କ୍ଷେତ୍ରରେ ଜଣେ ଆଇନଜୀବୀର ଭୂମିକା କଣ ହେବା ଉଚିତ୍, ତାହା ମଧୁବାବୁଙ୍କ ଆଇନପେଶାଗତ ଜୀବନାଦର୍ଶରୁ ସ୍ପଷ୍ଟବାରି ହୋଇ ପଡେ । ସମସ୍ତ ଅସ୍ୱଚ୍ଛଳ ଆର୍ଥିକ ଅବସ୍ଥା ମଧ୍ୟରେ ଗତି କରୁଥିବା ବେଳେ ମଧ୍ୟ ମଧୁବାବୁ ନିଜର ମୂଲ୍ୟବୋଧ ଓ ନୀତିନୀଷ୍ଠ ଜୀବନାଦର୍ଶକୁ କେବେ ଛାଡି ଦେଇନଥିଲେ । ବେଆଇନ ବାଟରେ ଆଇନର ଶାସନ ବ୍ୟବସ୍ଥା ଚାଲୁଥିବା ବେଳେ ସେ କେବେ ନିରବ ରହି ପାରିନଥିଲେ । ଯଦି ସେ ହାଇକୋର୍ଟ ପ୍ରସଙ୍ଗରେ କେବେ ପ୍ରଶ୍ନ ଉଠାଇ ନ ଥାନ୍ତେ ତେବେ ଓଡ଼ିଶାରେ ୧୯୪୮ ମସିହାରେ ହାଇକୋର୍ଟ କଟକରେ ପ୍ରତିଷ୍ଠା ହୋଇପାରିନଥାନ୍ତା । ଓଡ଼ିଆ ଜାତିକୁ ମଧୁବାବୁ ନିଜ ହୃଦୟର ଗଭୀରତମ ପ୍ରଦେଶରୁ ଭଲ ପାଉଥିଲେ । ଯଦି କେହି ଓଡ଼ିଆ ଜାତିକୁ ଗାଳିଦିଏ ତେବେ ଆମମାନଙ୍କ ମନରେ ରାଗ ହୁଏ କାହିଁକିର ଉତ୍ତର ଦେଇ ମଧୁବାବୁ କହିଥିଲେ ଯେ ଏହା ଜାତୀୟ ଜୀବନର ଚିହ୍ନ । ଯେବେ ଜାତୀୟ ଜୀବନର ଚିହ୍ନ ଆମ୍ଭମାନଙ୍କ ମଧ୍ୟରେ ଅଛି, ତେବେ ଆମ୍ଭେମାନେ ପ୍ରତ୍ୟେକ କୈାଣସି କାର୍ଯ୍ୟ କଲାବେଳେ ପ୍ରଥମେ ଏହି ପ୍ରଶ୍ନଟି ପଚାରିବାର ଆବଶ୍ୟକତା ଅଛି ଯେ ମୋ କାର୍ଯ୍ୟଦ୍ୱାରା ମୋ ଜାତିର ନିନ୍ଦା ହେବକି ନାହିଁ । ସେ ପୁନଶ୍ଚ କହିଥିଲେ ଯେ ମୁଁ ମିଥ୍ୟାବାଦୀ ହେଲେ କିମ୍ବା ଖୋସାମଦ କଲେ ଏହି ନିନ୍ଦାରେ ମୋ ଜାତି ଭାଗୀଦାର ହେବ । ଏଥିପାଇଁ ସେ ଜାପାନ ବାସୀଙ୍କ ଜାତୀୟ ପ୍ରିତିର ଉଦାହରଣ ଦେଇ କହିଥିଲେ ଯେ ଜାପାନ ଜାତିର ମୁଳମନ୍ତ୍ର ହେଉଛି – “ମୋର ପ୍ରାଣ ଯାଉ, ଲକ୍ଷେ ଜାପାନୀଙ୍କ ପ୍ରାଣ ଯାଉ କିନ୍ତୁ ଜାପାନ ଜାତିର ମାନବୃଦ୍ଧି ହେଉ ।” ଏଥିପାଇଁ ଯେତେବେଳ ପର୍ଯ୍ୟନ୍ତ ବ୍ୟକ୍ତିଗତ ସ୍ୱାର୍ଥ ଓ ଜୀବନକୁ ଲୋକେ ଜାତି ନିମନ୍ତେ ବଳିଦେବା ଶିଖି ନାହାନ୍ତି, ସେତେବେଳ ପର୍ଯ୍ୟନ୍ତ ଜାତୀୟ ଜୀବନ ଗଠନ ହେବନାହିଁ ଓ ଜାତୀୟ ଜୀବନର ମୂଲ୍ୟ ମଧ୍ୟ ଲୋକେ ବୁଝି ପାରିବେ ନାହିଁ । ଯଦି ଉନ୍ନତି ଲଭିବାକୁ ଚେଷ୍ଟାକର, ତେବେ ବୀଜ ଯେପରି ନିଜେ ନୀଚକୁ ଯାଇ ବୃକ୍ଷକୁ ଉପରକୁ ଉଠାଏ, ସେହିପରି ନିଜେ ନୀଚକୁ ଯାଇ ନିଜ ଜାତିକୁ ଉପରକୁ ଉଠାଇବାକୁ ପ୍ରୟାସ କରିବାକୁ ପଡିବ । ମଧୁବାବୁଙ୍କ ସ୍ୱାଭିମାନର ଆଉ ଏକ
ପ୍ରତିଫଳନ ଥିଲା ନିଜ ଭାଷାକୁ ଓ ମାଟିକୁ ଭଲ ପାଇବା । ସେଥିପାଇଁ ତାଙ୍କ ସହିତ କଥାବାର୍ତ୍ତା କଲାବେଳେ ଯଦି କୈଣସି ଓଡ଼ିଆ ଲୋକ ବଙ୍ଗାଳୀ କିମ୍ବା ଇଂରାଜୀ ଭାଷାରେ କଥା କହୁଥିଲେ, ସେ ଭୀଷଣ ଭାବେ ଚିଡି ଉଠୁଥିଲେ ଓ କହୁଥିଲେ, “ମୁଁ ଓଡ଼ିଶାରେ ଜନ୍ମଗ୍ରହଣ କରିଛି । ଉତ୍କଳ ମାତାର କୋଳରେ ମୋର ଅସ୍ଥି ଓ ମାଂସ ରହିବା ଯେଉଁମାନେ ଓଡ଼ିଆମାନଙ୍କ ପାଇଁ କୀର୍ତ୍ତି କରି ଯାଇଛନ୍ତି, ସେମାନେ ମୋର ପୂର୍ବ ପୁରୁଷ । ତାଙ୍କ କୀ ୀ ରକ୍ଷା କରିବା ଦାୟିତ୍ୱ ଆମ ଉପରେ ନ୍ୟସ୍ତ । ସମସ୍ତଙ୍କମନରେ ଏହି ଭାବଧାରା ସଂଚରିତ ହେବାର ଆବଶ୍ୟକତା ଅଛି । ଯେଉଁ ଶିକ୍ଷିତ ଲୋକମାନେ ଆପଣାଙ୍କୁ ସାଧାରଣ ଲୋକଙ୍କ ଠାରୁ ଉଚ୍ଚତର ଭାବି ଅଂହକାର କରନ୍ତି, ସେମାନେ ଅଧମ ଓ ସେମାନଙ୍କ ଶିକ୍ଷା ଶିକ୍ଷା ପଦବାଚ୍ୟ ନୁହେଁ ।”
ଜୀବନର ପ୍ରତ୍ୟେକ ମୂହ ର୍ରେ ଜାତୀୟ ଜୀବନ ପ୍ରତିଷ୍ଠା ପାଇଁ ଚିନ୍ତା କରିଥିବା ମଧୁବାବୁ ଏକଦା ଜଣେ ସରକାରୀ କର୍ମଚାରୀଙ୍କୁ ଦେଖି ପଚାରିଲେ, “ତୁମ୍ଭେ ଜାତୀୟ ଜୀବନ ସମ୍ବନ୍ଧରେ କଣ କରିଛ ?” ସେ କହିଲେ, “ମୋର ସମୟ ନାହିଁ ।” ମଧୁବାବୁ କହିଲେ, “ବାଟଘାଟ କଚେରିରେ ଯାହାକୁ ଦେଖୁଛ ଏପରିକି ନିଜ ସ୍ତ୍ରୀଙ୍କୁ ମଧ୍ୟ ଏ ସମ୍ପର୍କରେ କହିବା ପାଇଁ କଣ ସମୟ ହେଉନାହିଁ ? ତୁମ୍ଭେ ସମସ୍ତେ ମନକୁ ପଚାର ସ୍ତ୍ରୀକୁ କେବେ କହିଛ, ତୋର ଜାତୀୟ ଜୀବନ ହେବା ଦରକାର ? ଏ ପିଲାମାନେ ଯେପରି ଜାତୀର ଗୈାରବ ବୃଦ୍ଧି କରିବେ ସେଥିପାଇଁ ତୁ ତାଙ୍କୁ ଗଢାଇବୁ । ଯେବେ ପ୍ରତ୍ୟେକ ଲୋକପାଞ୍ଚ ମିନିଟ କରି ସମୟ ଏଥିରେ ବ୍ୟୟ କରନ୍ତି ତେବେ ଦଶ ପନ୍ଦର ବର୍ଷ ମଧ୍ୟରେ ଏ ଜାତିର ଭାଗ୍ୟ ବଦଳିଯିବ ।” ଜାତୀୟ ଜୀବନ ବ୍ୟକ୍ତିଗତ ଜୀବନରୁ ପୃଥକ ।
“ଜାତି ପାଇଁ ବାଟରେ ଭିକ୍ଷାକରି ମରିବି” । ଏହିପରି ପଣ ନ କରିବା ପର୍ଯ୍ୟନ୍ତ ଜାତୀୟ ଜୀବନର ସଂଚାର ହେବନାହି ଁ । ବ୍ୟକ୍ତିଗତ ଜୀବନ ସ୍ୱାର୍ଥପର । ସ୍ୱାର୍ଥପରତା ଯେତେ ବୃଦ୍ଧିହେବ
ଜାତୀୟ ଜୀବନ ସେତିକି କମିବ ବୋଲି ବିଶ୍ୱାସ କରିଥିଲେ ମଧୁବାବୁ । ଲବଣ କର ଠାରୁ ହିନ୍ଦୁ ମୁସଲମାନ ମୈତ୍ରୀ ବନ୍ଦୋବସ୍ତ ଓ ପ୍ରଜାମାନଙ୍କ ଦୁଃଖ ସଂପର୍କରେ ମଧୁବାବୁ ନିଜର ସ୍ପଷ୍ଟ ମତ ରଖିଥିଲେ ।
ଆଇନଜୀବୀମାନଙ୍କର ମଧ୍ୟ ସମାଜକୁ ପରିବ ର୍ନ କରିବା ଓ ନୂତନ ରାସ୍ତା ଦେଖାଇବାର ଗୁରୁ ଦାୟିତ୍ୱ ରହିଛି । ମଧୁବାବୁ ତତ୍କାଳୀନ ଅବସ୍ଥାରେ ସେହି ଦାୟିତ୍ୱକୁ ନିଜ କାନ୍ଧରେ ବହନ କରିଥିଲେ । ଉତ୍କଳ ସମ୍ମିଳନୀକୁ ସେ କୈାଣସି ଧର୍ମ ଭାବନା ସହିତ ଯୋଡି ନ ଥିଲେ । ଏହି ସମ୍ମିଳନୀରେ ଧର୍ମତର୍କ ପ୍ରବେଶ କଲେ ଉତ୍କଳବାସୀଙ୍କ ମଧ୍ୟରେ ମତଭେଦ ଦେଖାଦେବ ବୋଲି ଜାଣିପାରି ମଧୁବାବୁ ସବୁ ଧର୍ମର ମୂଳରେ ଅନନ୍ତ ମହାମହୀୟାନ ପରମେଶ୍ୱର ବିରାଜମାନ ବୋଲି କହୁଥିଲେ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ ସେହି ଅଭୟ ପାଦପଦ୍ମରେ ଶରଣାଗତ ହୁଅନ୍ତି ବୋଲି କହି ସମ୍ମିଳନୀର ବୃହ ର ସ୍ୱାର୍ଥ ସମସ୍ତଙ୍କ ଧ୍ୟେୟ ହେବା ଉଚିତ ବୋଲି ସେ ସମ୍ମିଳନୀର ଆରମ୍ଭରେ କେବଳ ମାତୃପୂଜା ହିଁ କରୁଥିଲେ । ନିଜେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶାର ମହାନ୍ କବି ଅତିବଡି ଜଗନ୍ନାଥ ଦାସଙ୍କ ଭାଗବତକୁ ଧର୍ମଗ୍ରନ୍ଥ ହିସାବରେ ସେ ଗ୍ରହଣକରିଥିଲେ । ଓଡ଼ିଶା ଓ ଓଡ଼ିଆ ଭାଷାର ଅସ୍ମିତାକୁ ରକ୍ଷା କରିବା ଲାଗି ମଧୁବାବୁଙ୍କ ଉଦ୍ୟମ କେବଳ ଉତ୍କଳ ସମ୍ମିଳନୀ କିମ୍ବା ଆଇନପେଷା ଭିତରେ ସୀମିତ ନ ଥିଲା । ଓଡ଼ିଶାରେ ଜନସାଧାରଣଙ୍କ ମଧ୍ୟରେ ଆତ୍ମ ମର୍ଯ୍ୟାଦା ଓ ଆତ୍ମନିର୍ଭରଶୀଳତାର ବୃଦ୍ଧି କରିବା ଲାଗି ୧୯୦୫ ମସିହାରେ ଦଳିତମାନଙ୍କୁ ନେଇ ସେ ଆରମ୍ଭ କରିଥିବା ଉତ୍କଳ ଟ୍ୟାନେରୀ ଗୋଟିଏ ସମାବେଶୀ ସମାଜ ଗଠନର ପ୍ରକିୟା ଓ ବିକାଶର ପରିଚାୟକ ଥିଲା ।
ଜଣେ ଆଇନଜୀବୀ ଭାବେ ସେ ନିଜକୁ କେବଳ ଆଇନ ପେଷାର ଚାରିକାନ୍ଥ ମଧ୍ୟରେ ସୀମିତ କରି ରଖି ନଥିଲେ । ପେଷାରେ ଆଇନଜୀବୀ ଥିଲେ ମଧ୍ୟ ଓଡ଼ିଶାର ଜନଜୀବନର ପ୍ରତ୍ୟେକ ଘଟଣାରେ ତାଙ୍କର ଛାପ ଆଜି ବି ଅନୁଭୂତ । ସେ ଯେଉଁ ମୂଲ୍ୟବୋଧ ଛାଡି ଚାଲିଯାଇଛନ୍ତି, ତାହା ତାଙ୍କର ପ୍ରଜ୍ଞା, ପ୍ରତିଭା, ସାଙ୍ଗଠାନିକ ଶକ୍ତି ଓ ସାମାଜିକ ପ୍ରତିବଦ୍ଧତାର ପ୍ରତିଫଳନ । ଆଜି ଆମ ଦେଶରେ ଓ ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତିରେ ଆଇନଜୀବୀ ମାନଙ୍କ ଭୂମିକାକୁ ବିଚାର କଲା ବେଳେ ମଧୁବାବୁଙ୍କ ମୁହଁଟି ଆଖି ସାମ୍ନାକୁ ସ୍ୱତଃ ଚାଲିଆସେ । ରାଜ୍ୟର ପ୍ରତ୍ୟେକ କୋର୍ଟ ପରିସରରେ ଗାନ୍ଧୀଙ୍କ ପ୍ରତିମୂ ି ସ୍ଥାନ ପାଇଥିବା ବେଳେ ଅନେକ କୋର୍ଟରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିନାହିଁ । କୋର୍ଟ ପରିସରରେ ଯୁବ ଆଇନଜୀବୀ ମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଦେଖିଲେ ବୋଧହୁଏ ମଧୁବାବୁଙ୍କ ଜୀବନୀ ପଢିବାପାଇଁ ଆଗ୍ରହ ପ୍ରକାଶ କରିବେ । ଓଡ଼ିଶାର ବିଭିନ୍ନ ଆଇନ କଲେଜଗୁଡିକରେ ମଧୁବାବୁଙ୍କ ସଂପର୍କରେ ତାଙ୍କ୧୭୫ତମ ଜନ୍ମ ଜୟନ୍ତୀରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ପରିକଳ୍ପନା କରାଗଲେ ତାଙ୍କ ପ୍ରତି ଆମ ସମ୍ମାନର ତାହା ନିଦର୍ଶନ ହେବ ।
ଆଇନଜୀବୀ ଓଡ଼ିଶା ହାଇକୋର୍ଟ
ଦୂରଭାଷ – ୯୪୩୭୦୧୨୪୬୦