Latest Odisha News

ସଂଧ୍ୟା ୬ରୁ ରାତି ୧୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉ ଦର୍ଶନ କରିପାରିବେନି ଭକ୍ତ

ପୁରୀ: ଆଜି(ବୁଧବାର) ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିରରେ ଶ୍ରୀ ଜୀଉ ଦର୍ଶନ। କାରଣ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦିଅଁ ଦର୍ଶନ ମନା ରହିଛି। ରତ୍ନବେଦୀରେ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ। ସଂଧ୍ୟା ୬ଟାରୁ  ୪ ଘଣ୍ଟା ଲାଗି ବନକାଲାଗି ନୀତି କରାଯିବ। ଏହି ନୀତି ଅନୁସାରେ ଶ୍ରୀଜିଉଙ୍କ ମୁଖମଣ୍ଡଳକୁ ସଜ୍ଜିତ କରାଯିବ।

ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ  ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଏହି ନୀତି ସେବାୟତମାନେ କରୁଥିବାରୁ କେହି ଦର୍ଶନ କରିପାରିବେନି। ହେଲେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ବନକଲାଗି ନୀତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି।

ଦତ୍ତ ମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ଲାଗି ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଆଦି ବ୍ୟବହାର କରାଯିବ । ବନକଲାଗି ନୀତି ଏକ ଗୁପ୍ତନୀତି ହୋଇଥିବାରୁ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବା ମାତ୍ରେ ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଏହି ଅନନ୍ୟ ନୀତି ସରିବା ପରେ ମହାପ୍ରଭୁଙ୍କର ମହାସ୍ନାନ ହୋଇ ଦର୍ଶନ ଆରମ୍ଭ ହେବାର ବିଧି ରହିଛି।

ବନକଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଉଜ୍ଜ୍ୱଳମୟ ହୋଇଉଠେ। ମହାପ୍ରଭୁଙ୍କ ଚକାଡୋଳା ଚମକି ଉଠିଥାଏ। ଆଉ ମହାପ୍ରଭୁ ଏହି ଚକାଆଖିରେ ଭକ୍ତଜନଙ୍କୁ ଆକର୍ଷିତ କରିଥାନ୍ତି। ଏଥିସହିତ ଏହି ସାମଗ୍ରୀ ଲେପନରେ ଏହାଦ୍ବାରା ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ ଓ ମହାପ୍ରଭୁଙ୍କ ଶ୍ରୀମୁଖ ସୁରକ୍ଷିତ ରହିଥାଏ ବୋଲି ଗବେଷକ ମାନେ କହିଥାନ୍ତି। ପ୍ରତ୍ୟେକ ମାସରେ ଏହି ନୀତି ଦୁଇ ଥର କରାଯାଉଥିବା ବେଳେ ଦତ୍ତ ମହାପାତ୍ର ରତ୍ନ ସିଂହାସନରେ ଦାରୁ ଦେବତାଙ୍କର ଶ୍ରୀମୁଖ ସିଂହାର କରିଥାନ୍ତି।

 

Comments are closed.