ମସ୍କୋ: ୟୁକ୍ରେନ୍ର ପୂର୍ବାଞ୍ଚଳ ମୁଖ୍ୟ ସହର ବଖମୁତକୁ ଅକ୍ତିଆର କଲା ଋଷ। ଶନିବାର ଋଷି ବଖ୍ମୁତ ଅକ୍ତିଆର କରିଥିବା ଦାବି କରିଥିବା ବେଳେ ୟୁକ୍ରେନ୍ ଦାବିକୁ ଖାରଜ କରିଛି। ବଖମୁତ ଅକ୍ତିଆର କରିବା ଋଷର ମୂଳ ଉଦ୍ଦେଶ୍ୟ ଥିଲା। ଏହାକୁ ଅକ୍ତିଆର କରିବା ପରେ ଋଷ ଯୁଦ୍ଧ ରୋକିପାରେ ବୋଲି କୁହାଯାଉଛି।
ଋଷର ଘରୋଇ ମିଲିଟାରୀ କମ୍ପାନୀ ୱାଗନେର ଗ୍ରୁପ ଅପ୍ ମର୍ସନାରୀସ୍ର ନେତା ୟେଭଗେନୀ ପ୍ରିଗୋଝିନ କହିଛନ୍ତି ଯେ ସେ ତାଙ୍କ ସେନା ୟୁକ୍ରେନ୍ ସେନାକୁ ବଖମୁତ ସୀମା ବାହାରେ ତଡ଼ି ଦେବାରେ ସଫଳ ହୋଇଛି। ଶନିବାର ଘୋଷଣା କରି ପ୍ରୋଗଝିନ କହିଛନ୍ତି “ ଆଜି ଅପରାହ୍ନ ୧୨ଟା ବେଳେ ବଖମୁତକୁ ସମ୍ପୂର୍ଣ୍ଣ ଭାବେ ଅକ୍ତିଆର କରିନିଆଯାଇଛି। ଘର ଠୁ ଘର ପୂରା ସହରକୁ ଆମେ ଆମ ନିୟନ୍ତ୍ରଣକୁ ନେଇ ଆସିଛୁ।”
ଏହି ଘଟଣା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେନାକୁ ବଧେଇ ଜଣାଇଛନ୍ତି। ଯେଉଁମାନେ ଏଥିରେ ସହଯୋଗ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଋଷ ସମାଚାର ପକ୍ଷରୁ ସୂଚନା ମିଳିଛି।
ତେବେ ଋଷ ପକ୍ଷରୁ ଏଭଳି ଦାବି ହେବାର ଘଣ୍ଟାାଏରୁ କମ୍ ସମୟ ଭିତରେ ପ୍ରତିକ୍ରିୟା ଦେଇଥିଲା ୟୁକ୍ରେନ୍। ୟୁକ୍ରେନ୍ ଉପପ୍ରତିରକ୍ଷା ମନ୍ତ୍ରୀ ହନ୍ନା ମଲିଆର ବଖ୍ମୁତର ସ୍ଥିତି ଶୋଚନୀୟ ବୋଲି ସ୍ୱୀକାର କରିଥିଲେ। ତେବେ ଋଷର ସମ୍ପୂର୍ଣ୍ଣ ଅକ୍ତିଆରକୁ ସେ ଖଣ୍ଡନ କରିବା ସହ ୟୁକ୍ରେନ୍ ସେନା ଏବେ ବି ସେଠାରେ ଅଛି ବୋଲି ସେ ହନ୍ନା ମଲିଆର କହିଛନ୍ତି। କିଛି ଶିଳ୍ପାଞ୍ଚଳ ଓ ଘରୋଇ ଏରିଆ ଉପରେ ଏବେ ବି ୟୁକ୍ରେନ୍ ସେନା ମୁତୟନ ହୋଇଛନ୍ତି ବୋଲି ହନ୍ନା ଦାବି କରିଛନ୍ତି। ପ୍ରିଗୋଝିନ୍ଙ୍କ ଦାବିକୁ ମିଥ୍ୟା ବୋଲି କହିବା ସହ ୟୁକ୍ରେନ୍ ସେନା ଲଢ଼େଇ ଜାରି ରଖିଛି ବୋଲି ୟୁକ୍ରେନ୍ ସେନା ପ୍ରବକ୍ତା ଶରହିଆ ଚେରେଭାତି କହିଛନ୍ତି।
Comments are closed.