ନୂଆଦିଲ୍ଲୀ: ଦେଶର ନୂଆ ସଂସଦ ଭବନ ପ୍ରସ୍ତୁତ । ବାକି ଅଛି ଗୃହ ପ୍ରବେଶ । ତେବେ ଏହାର ଉଦଘାଟନ ତାରିଖକୁ ନେଇ କଂଗ୍ରେସ ପକ୍ଷରୁ ପ୍ରଥମରୁ ବିରୋଧ କରାଯାଇଛି। ଏବେ କିଏ ଉଦଘାଟନ କରିବ ତାକୁ ନେଇ ମଧ୍ୟ କଂଗ୍ରେସ ସ୍ୱର ଉଠାଇଛି ।
ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟନ କରାଯିବାକୁ ନେଇ ଆପତ୍ତି ଉଠାଇଛନ୍ତି ନିଜେ ରାହୁଲ ଗାନ୍ଧି । ରାହୁଲ କହିଛନ୍ତି, ନୂଆ ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା କରାଯିବା ଉଚିତ ।
ଲୋକସଭା ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସଂସଦର ସ୍ପିକର ଓମ ବିରଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରି ନୂଆ ସଂସଦ ଭବନ ଉଦଘାଟନ କରିବା ନେଇ ଅନୁରୋଧ କରିଥିଲେ । ଏହା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ବୟାନ ରଖିଛନ୍ତି ।
ଏଠି କହିରଖିବୁ, ଏହା ପୂର୍ବରୁ କଂଗ୍ରେସ ସଂସଦ ଭବନ ଉଦଘାଟନ ତାରିଖକୁ ନେଇ ଆପତ୍ତି ଉଠାଇଥିଲା । ସଂସଦ ଭବନ ମେ ୨୮ ତାରିଖ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହି ଦିନ ବିନାୟକ ଦାମୋଦର ସଭରକରଙ୍କ ଜନ୍ମଦିନ ଅଟେ । କଂଗ୍ରେସ ନେତା ରାହୁଲ ଗାନ୍ଧି ସବୁବେଳେ ସବରକର ବିରୋଧୀ ବୟାନ ଦେଇ ମହାରାଷ୍ଟ୍ରରେ ନିଜର ଦଳ ଏବଂ ସହଯୋଗୀ ଦଳର ନେତାଙ୍କୁ ଅଡୁଆରେ ପକାଇଥାନ୍ତି । ଏପରି ସ୍ଥିତିରେ ଏହି ତାରିଖକୁ ନେଇ ରାହୁଲ ପ୍ରଶ୍ନ କରିଛନ୍ତି, ସଂସଦ ଉଦଘାଟନ ପାଇଁ ଏହି ତାରିଖ ସ୍ଥିର କରିବା ଏକ ଘଟଣାକ୍ରମ ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ରହିଛି ?
ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲଙ୍କ ପ୍ରଶ୍ନ ଉତ୍ତରର ଜବାବ ରଖିଛି ବିଜେପି । ମିଡିଆ ରିପୋର୍ଟ ଅନୁସାରେ, ସଂସଦ ଭବନ ନିର୍ମାଣରେ ପୂରା ପ୍ରଚେଷ୍ଟା ନରେନ୍ଦ୍ର ମୋଦିଙ୍କର ରହିଛି । ମୋଦିଙ୍କ ଦ୍ୱାରା ହେଉଥିବା କୌଣସି ଭଲ କାମ ରାହୁଲ ସହି ପାରୁନାହାନ୍ତି ବୋଲି ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ।
ସୂଚନାଥାଉ କି, ନୂଆ ସଂସଦ ଭବନ ସମ୍ପୂର୍ଣ୍ଣ ଭୂକମ୍ପ ବିରୋଧୀ ଏବଂ ଲାଟେଷ୍ଟ ଟେକ୍ନୋଲଜିରେ ପ୍ରସ୍ତୁତ ହୋଇଛି । ଏଠାରେ ଲୋକସଭାର ୮୮୮ ସଦସ୍ୟ ଏବଂ ରାଜ୍ୟସଭାର ୩୮୪ ସଦସ୍ୟ ବସିବା ବ୍ୟବସ୍ଥା କରାଯାଇଛି ।
Comments are closed.