ମା
ଇନ୍ଦିରା ଦାଶ
ଅପରାହ୍ନର
ଲେଉଟାଣି ଖରା
ଏବେ ତୋ ଶରୀରରେ
ଲେଖିଦେଇଛି ତୋର ବୟସ
ଧୂସର ଅକ୍ଷରରେ
କପାଳରେ ବାର୍ଦ୍ଧକ୍ୟର
କରୁଣ କୁଞ୍ଚନ
ଲୁହ ଓ ହସରେ
ଦେହରେ ବିତେଇଥିବା
ଦିନ, ମାସ, ବର୍ଷର
ଜୀର୍ଣ୍ଣ ପରିଧାନ ।
ମା’ ହେଲାପରେ ବୁଝିପାରୁଛି
‘ମା’ ପଣର ଅସହାୟତା
ସ୍ନେହ, ଭଲପାଇବାର ଭାଗବଣ୍ଟା
ତ୍ୟାଗର ନିଅଁ ଉପରେ
ଟିକିଏ ଅବୁଝାମଣାରେ
ଦୋହଲି ଯାଉଥିବା
ବିଶ୍ୱାସର ଚାରିକାନ୍ଥ
ସହୃଦୟତାର ଚଉଖମ୍ବ
ଶ୍ରଦ୍ଧାର ନିଚିପଢ଼ ହାତଟିରେ
ଗଢ଼ିଥିବା ସମ୍ପର୍କର ଘର ।
ଏବେ ବିକଳ ହେଉଛି ମନ
ଫେରିଯିବାକୁ ଚାହେଁ
ବହୁବର୍ଷ ପରେ,
ସଫଳତାର ଶେଷତମ
ପାହାଚରେ ପହଞ୍ଚିବା ପରେ
ଥକ୍କା ଲାଗେ ଦେଖି
ମିଛ ସୁଖ, ମିଛ ବଇଭବ
ମିଛ ସିଂହାସନ ।
ଖୋଲିଦେ ମା’
ରାଗରୋଷ ଭୁଲି
ତୋ କୋଳର ସିଂହଦ୍ୱାର
ଅବା ସ୍ୱର୍ଗଦ୍ୱାର ।
Comments are closed.