Latest Odisha News

ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ସ୍ଥିତିର ସମୀକ୍ଷା କଲେ

ବାଲେଶ୍ୱର: ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ବାହାନଗାରେ ଥିବା ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ  ସେଠାରୁ ଦୁର୍ଘଟଣାସ୍ଥଳକୁ  ଯାଇଛନ୍ତି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିଛନ୍ତି ।

ଏଠାରେ ପହଞ୍ଚିବା ପରେ ପୁରା ଘଟଣାସ୍ଥଳ  ବୁଲି ଦେଖିଛନ୍ତି ମୋଦି । ଏଥିସହ ଲାଇନଚ୍ୟୁତ ହୋଇ ପଡିଥିବା ଟ୍ରେନ ବଗି ମଧ୍ୟ ଦେଖିଛନ୍ତି । ଉପସ୍ଥିତ ଅଧିକାରୀଙ୍କ ସହ  ଦୁ୍ର୍ଘଟଣା, ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ।

ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ ପ୍ରଧାନମନ୍ତ୍ରୀ କଟକ ଯିବାର  କାର୍ଯ୍ୟକ୍ରମ ଥିଲା  । ହେଲେ ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପ୍ରଧାନମନ୍ତ୍ରୀ କଟକ ଡାକ୍ତରଖାନା ଯିବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।  ମୋଦି ଆଉ କଟକ ନଯାଇ ପୁଣି କଲେଇକୁଣ୍ଡା ଫେରିଯିବେ । ତେବେ ଫେରିବା ପୂର୍ବରୁ ବାଲେଶ୍ୱର ଡାକ୍ତରଖାନା ଯିବେ ମୋଦି  । ସେଠାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ ।  ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ସୂଚନାଥାଉ କି, ଇତି ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା   ୨୬୧ ଛୁଇଁଲାଣି । ତଥାପି ଆହୁରି ବଢିବା ଆଶଙ୍କା ରହିଛି ।  ଶତାଧିକ ଆହତଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲିଛି ।    ସେହିପରି ସରକାରୀ ସୂଚନା ଆନୁସାରେ ଦୁର୍ଘଣଟାରେ ପ୍ରାୟ ୯୦୦ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ଗୋପାଳପୁର,ଖନ୍ତାପଡ଼ା, ବାଲେଶ୍ୱର, ଭଦ୍ରକ ଏବଂ ସୋର ଡାକ୍ତରଖାନାକୁ ନିଆଯାଇଛି।

ଏପଟେ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କାର୍ଯ୍ୟା ଶେଷ ହୋଇଥିବା ବେଳେ ରେଳ ଟ୍ରାକ୍ ପୁନୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ପୁନୁରୁଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ରେଳବାଇ ବୋର୍ଡ ଚେୟାର ମ୍ୟାନ୍‌ କଟକ ହସ୍‌ପିଟାଲ୍‌ରେ ଆହତଙ୍କ ଚିକିତ୍ସା କଥା ବୁଝୁଥିବା ବେଳେ ରେଳ ବୋର୍ଡର ହେଲ୍ଥ ଡିଜି ବାଲେଶ୍ୱରର ହସ୍‌ପିଟାଲ୍‌ରେ ରହି ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.