ଭୁବନେଶ୍ୱର: ମଧ୍ୟପ୍ରଦେଶରେ କ୍ଷମତାକୁ ଆସିବା ପାଇଁ କଂଗ୍ରେସ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଛି। ରାଜ୍ୟର ମହିଳା, ଯୁବ ବର୍ଗ ତଥା ଅନ୍ୟାନ୍ୟ ବର୍ଗ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଦଳର ପ୍ରମୁଖ ଚେହେରା ପ୍ରିୟଙ୍କା ଗାନ୍ଧୀ ଚଳିତ ମାସ ୧୨ ତାରିଖରେ ପ୍ରଚାରକୁ ଓଲ୍ହାଇବେ।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ୧୨ ତାରିଖରେ ମଧ୍ୟପ୍ରଦେଶର ମହାକୋଶଲ ଅଞ୍ଚଳର ଜବଲପୁରରେ ନିର୍ବାଚନ ପ୍ରଚାର କରିବେ। ଗ୍ବାରିଘାଟରେ ନର୍ମଦାଙ୍କୁ ପ୍ରାର୍ଥନା କରି ଏକ ବିଶାଳ ସଭାକୁ ସମ୍ବୋଧିତ କରିବେ ପ୍ରିୟଙ୍କା।
ପ୍ରିୟଙ୍କା ଏକ ବଡ଼ ରୋଡ଼ ଶୋ ସହ ସଭାକୁ ସମ୍ବୋଧିତ କରିବେ। ଏଥିସହିତ ଦଳର ପ୍ରଚାରକୁ ବିଧିବଦ୍ଧ ଭାବେ ଉଦଘାଟନ କରିବା ସହ ସଂକଳ୍ପ ୨୦୨୩ ର ଶୁଭାରମ୍ଭ କରିବେ।
ଜବଲପୁର ଅଞ୍ଚଳର ୮ ଟି ଜିଲ୍ଲା ଉପରେ କଂଗ୍ରେସର ନଜର ରହିଛି। ସେପଟେ ପ୍ରିୟଙ୍କାଙ୍କ ଗସ୍ତ ପରେ ପରେ ଆସନ୍ତା ୧୫ ତାରିଖରେ ମଧ୍ୟପ୍ରଦେଶରେ କଂଗ୍ରେସ ପକ୍ଷରୁ କମଲନାଥ ସନ୍ଦେଶ ଯାତ୍ରା ଆରମ୍ଭ କରାଯିବ।
ରାଜ୍ୟର ପଛୁଆ ବର୍ଗର ଲୋକଙ୍କ ସହ ଦଳକୁ ଯୋଡିବାକୁ ଏହି ଯାତ୍ରା କରାଯିବ। ଜୁନ ୧୫ ତାରିଖରେ ଏହି ଯାତ୍ରା ଦଳୀୟ ମୁଖ୍ୟାଳୟରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଏହି ଯାତ୍ରା ବୁନ୍ଦେଲଖଣ୍ଡ ଅଞ୍ଚଳର ୧୦ ଟି ଜିଲ୍ଲା କଭର କରିବ।
ଯେଉଁଥିରେ ୨୩ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ଟାର୍ଗେଟ ରଖିଛି। ଯାତ୍ରା ହେବାକୁ ଥିବା ୧୦ ଟି ଜିଲ୍ଲାର ୨୫ ଟି ବିଧାନସଭା କ୍ଷେତ୍ରରେ ୫୦ ଟି ସାଧାରଣ ସଭା ଆୟୋଜିତ ହେବ।
୧୨ ଦିନବ୍ୟାପୀ ହେବାକୁ ଥିବା ଏହି ଯାତ୍ରାର ଶେଷ ଦାଟିଆରେ ହେବ ଯେଉଁଟା ହେଉଛି ବିଜେପି ନେତା ତଥା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ। ନରୋତ୍ତମଙ୍କୁ ନିର୍ବାଚନରେ ହରାଇବାକୁ ଟାର୍ଗେଟ ରଖାଯାଇଥିବା କଂଗ୍ରେସ ନେତା ଦାମୋଦର ସିଂ ଯାଦବ କହିଛନ୍ତି।
ଏପରିକି ଏହି ଯାତ୍ରା ସମୟରେ କଂଗ୍ରେସର ୧୫ ମାସିଆ ସରକାରର ସଫଳତା ଓ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବା ଲକ୍ଷ ରଖାଯାଇଛି। ବିଶେଷ କରି ରାଜ୍ୟର ପଛୁଆ ବର୍ଗଙ୍କ ଉପରେ ଫୋକସ କରୁଛି।
କମଲନାଥଙ୍କ ସରକାର ସମୟରେ ରାଜ୍ୟର ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇଥିବାବେଳେ ଶିବରାଜ ସରକାର କିଭଳି ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହେଲେ ସେ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ଯୋଜନା କରିଛି। ସେପଟେ କଂଗ୍ରେସ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତିକୁ ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା ହୋଇଛି।
Comments are closed.