Latest Odisha News

BREAKING NEWS

କଂଗ୍ରେସଠୁ ହାରିଲେ, ଏବେ ନିଜ ଭିତରେ ଲଢୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକରେ ପରାଜୟ ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ଏତେ ବଡ଼ ପରାଜୟ ପାଇଁ କର୍ଣ୍ଣାଟକରେ ବିଜେପି ନେତାମାନେ ପରସ୍ପରକୁ ଦୋଷ ଦେବା ଆରମ୍ଭ କରିଛନ୍ତି।

ବିଜେପି ଜାତୀୟ ସାଧାରଣ ସମ୍ପାଦକ ସି ଟି ରବି କର୍ଣ୍ଣାଟକ ପରାଜୟ ପାଇଁ କିଛି ଦଳୀୟ ନେତାଙ୍କ ଆଡ଼ଜଷ୍ଟମେଣ୍ଟ ଓ କମ୍ପରମାଇଜ ରାଜନୀତିକୁ ଦାୟୀ କରିଛନ୍ତି। କର୍ଣ୍ଣାଟକ ଚିକମାଗାଲୁରୁ ଆସନରୁ ନିର୍ବାଚନ ଲଢ଼ି ହାରିଥିବା ରବି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି।

କର୍ଣ୍ଣାଟକରେ ପୂର୍ବ କଂଗ୍ରେସ ସରକାର ସମୟରେ ହୋଇଥିବା ଆରକାଭାଥି ଲେ ଆଉଟ ଡିନୋଟିଫିକେସନ ଓ ସୋଲାର ସ୍କାଣ୍ଡାଲ ଅଭିଯୋଗ ଉପରେ ବିଜେପିର ବାସବରାଜ ବୋମାଇ ସରକାର କାହିଁକି ତଦନ୍ତ ନିର୍ଦେଶ ଦେଇ ନ ଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ରବି।

ତେଣୁ ଦଳୀୟ ନେତାଙ୍କ ଆଡ଼ଜଷ୍ଟମେଣ୍ଟ ଓ କମ୍ପରମାଇଜ ରାଜନୀତି ଦଳକୁ କ୍ଷତି ପହଞ୍ଚାଇଲା ବୋଲି ସେ କହିଛନ୍ତି। ଯଦି କଂଗ୍ରେସ ନେତାଙ୍କ ଦୁର୍ନୀତି ପଦାକୁ ଅଣାଯାଇଥାନ୍ତା ତେବେ ବିଜେପି ପୁଣିଥରେ ରାଜ୍ୟରେ କ୍ଷମତାକୁ ଆସିଥାନ୍ତା ବୋଲି କହିଛନ୍ତି ରବି।

କିନ୍ତୁ ସେତେବେଳର ବିରୋଧୀ କଂଗ୍ରେସ ସହ କେଉଁ ନେତାମାନେ ଆଡ଼ଜଷ୍ଟମେଣ୍ଟ କରୁଥିଲେ ପ୍ରଶ୍ନର ଉତ୍ତରରେ ସେ କିନ୍ତୁ କାହା ନାଁ କହିନାହାନ୍ତି। ପୂର୍ବ କଂଗ୍ରେସ ସରକାରର ଦୁର୍ନୀତି ସମ୍ପର୍କରେ ତଦନ୍ତ ପାଇଁ ବାରମ୍ବାର ଦଳୀୟ ନେତାମାନେ ଦାବି କରିଥିବା ବେଳେ ବୋମ୍ମାଇ ମଧ୍ୟ ଏସବୁର ତଦନ୍ତ ନେଇ କହୁଥିଲେ। କିନ୍ତୁ କିଛି ବି ତଦନ୍ତ ହୋଇ ନ ଥିଲା।

ଯାହାକି ଦଳର ପରାଜୟର ଅନ୍ୟତମ କାରଣ ବୋଲି କୁହାଯାଉଛି। ସେପଟେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି କର୍ଣ୍ଣାଟକରେ ପୂର୍ଵଭଳି କିଭଳି ଅଧିକ ସିଟ ଜିତିବ ଚିନ୍ତା କରୁଥିବା ବେଳେ ଟିକେଟ ପାଇବାକୁ ନେଇ କନ୍ଦଳ ଆରମ୍ଭ ହୋଇଛି।

କର୍ଣ୍ଣାଟକରେ ବିଜେପିର ୨୫ ଜଣ ସାଂସଦଙ୍କ ମଧ୍ୟରୁ ଆଗାମୀ ଲୋକସଭା ନିର୍ବାଚନରେ ୧୩ ଜଣ ଦଳୀୟ ଟିକେଟ ପାଇବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ କର୍ଣ୍ଣାଟକରେ ବିଜେପି ୨୮ ଲୋକସଭା ଆସନ ମଧ୍ୟରୁ ୨୫ ଟି ଜିତିଥିଲା।

କିନ୍ତୁ ଏଥର କଂଗ୍ରେସ ସରକାର ଗଢିଥିବା ବେଳେ ଦମଦାର ଢଙ୍ଗରେ ବଢୁଛି। ଯାହାକୁ ନେଇ ବିଜେପିର ଚିନ୍ତା ବଢିଛି। ସେପଟେ ଯେଉଁମାନଙ୍କ ଟିକେଟ କଟିବାର ସମ୍ଭାବନା ଅଛି ସେମାନେ ନିଜ ପାଇଁ ଆଗାମୀ ରଣନୀତି ପ୍ରସ୍ତୁତ କରୁଛନ୍ତି।

ଏପରିକି ବିଧାନସଭା ନିର୍ବାଚନ ଢାଞ୍ଚାରେ ବୟସକୁ ଆଧାର କରି କିଛି ସାଂସଦଙ୍କ ଟିକେଟ କଟିପାରେ। କିଛି ସାଂସଦ ମଧ୍ୟ ନିର୍ବାଚନ ନ ଲଢ଼ିବା ନେଇ ଆଗୁଆ ସୂଚନା ଦେଉଛନ୍ତି। ତେଣୁ ଆଗକୁ ଲୋକସଭା ନିର୍ବାଚନ କୁ ନେଇ ଏକ ନିର୍ଣ୍ଣାୟକ ଲଢେଇ ହେବାକୁ ଯାଉଥିବା ବେଳେ ବିଜେପି ନେତାଙ୍କ ମଧ୍ୟରେ ପରସ୍ପରକୁ ଦୋଷାରୋପ ଦଳୀୟ ନେତୃବୃନ୍ଦଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

 

Leave A Reply

Your email address will not be published.