Latest Odisha News

ବିଜୁଳି ବିଭ୍ରାଟ ପ୍ରସଙ୍ଗ: ଅମରଙ୍କ ପରେ ସୁବାସ ଟାଟା ଉପରେ ବର୍ଷିଲେ

ଭୁବନେଶ୍ୱର: ଓଡ଼ିଶାରେ ବିଜୁଳି ଯୋଗାଣକୁ ନେଇ ରାଜ୍ୟ ସରକାର ଓ ଟାଟା ପାଓ୍ୱାର ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହାକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଛି। ଏହି ବିବାଦ ମଧ୍ୟରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଟାଟା ପାଓ୍ୱାରକୁ ଦାୟୀ କରି କହିଛନ୍ତି ଯେ, ଟାଟା ପାଓ୍ୱାରର ଲୋଡ୍ ବାଲାନ୍ସର ଅଭାବ ରହିଛି। ସେହିପରି କଟକ ମେୟର ତଥା ପୂର୍ବତନ ସାଂସଦ ସୁବାସ ସିଂ ଟାଟା ପାଓ୍ୱାର ବିରୋଧରେ ବର୍ଷିଛନ୍ତି।

ଅମର ପଟ୍ଟନାୟକ କହିଥିଲେ, କେତେକ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ କେବଳ ବିତରଣରେ ବ୍ୟବଧାନ କିମ୍ବା ତ୍ରୁଟି ଯୋଗୁଁ ହୋଇଛି, ଯାହାର ସମୀକ୍ଷା କରାଯାଇନାହିଁ ଏବଂ ସମୟ ସମୟରେ ଏହାର ଉନ୍ନତିକରଣ କରାଯାଇନାହିଁ।

ସାଂସଦଙ୍କ କହିବାନୁସାରେ, ବର୍ତ୍ତମାନ ଏହି ଚିନ୍ତାକୁ ଦୂର କରିବା ପାଇଁ ଉପଯୁକ୍ତ ସମୟ ଅଟେ, କାରଣ କମ୍ପାନୀ କାଳବୈଶାଖୀ କିମ୍ବା ବଜ୍ରପାତରୁ ଉପୁଜିଥିବା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଉନ୍ନତମାନର ହେବ।

ଏବେ ବିଜୁଳି ଯୋଗାଣ ପାଇଁ ଭିତ୍ତିଭୂମି ରହିଛି। ତେବେ କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଗଛ ପଡ଼ିବା ଭଳି ସାମାନ୍ୟ ଘଟଣା ଘଟିଲେ ବି ମୁଁ ଏଯଏଁ ବ୍ୟାକଅପ୍ ପ୍ଲାନ୍ ଦେଖି ନାହିଁ। ସମସ୍ତ ସମ୍ଭାବ୍ୟ ପରିସ୍ଥିତିକୁ ବିଚାରକୁ ନେଇ ଏକ ବ୍ୟାପକ ବିପର୍ଯ୍ୟୟ ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହେବା ଆବଶ୍ୟକ। ଯଦି ଟାଟା ପାଓ୍ୱାର ଏଭଳି ଯୋଜନା କାର୍ଯ୍ୟକାରୀ କରେ, ତେବେ ସେମାନେ ବିଦ୍ୟୁତ ପୁନରୁଦ୍ଧାର ପାଇଁ ଆକଳନ ପ୍ରଦାନ କରି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାରେ ସକ୍ଷମ ହେବେ ବୋଲି ଅମର ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସେହିପରି କଟକ ମେୟର ସୁବାଷ ସିଂ କହିଛନ୍ତି, ଟାଟା ପାୱାର ଆହୁରି କ୍ରିୟାଶୀଳ ହେବା ଦରକାର। କାହିଁକି ଘଣ୍ଟା ଘଣ୍ଟା ପାୱାର କଟ ହେବ। ରାଜ୍ଯରେ ତ ବିଜୁଳି ବଳକା ରହିଛି। ଏପରି ସ୍ଥିତିରେ କାହିଁକି ପାୱାର କଟ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଯାହା ଯାହା ତ୍ରୁଟି ହେଉଛି ତାକୁ ଦୂର କରିବା ନିହାତି ଦରକାର। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କୁ ରୋକ ଠୋକ ଟାଟା ପାଳନ କରୁ । ଲୋକଙ୍କୁ ସେବା ଯୋଗାଇ ଦେବାରେ କୌଣସି ତ୍ରୁଟି ରହିବ ଉଚିତ ନୁହେଁ।

Comments are closed.