ବନ୍ଦିତା ଦାଶ
ଓଡ଼ିଆ ପରମ୍ପରାର ପର୍ବ ରଜ ବର୍ଷକେ ଥରେ ଆସେ । ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ରାଜ୍ୟ ଆମର। ଅନେକ ପରମ୍ପରା ଆଜିବି ଉଜ୍ଜୀବିତ। ଭାରି ସୌଖୀନ ଓ କଳାତ୍ମକ ଜାତି। ବୀରତା, ସାହସିକତା ରକ୍ତରେ ରକ୍ତରେ, ଶିରା ପ୍ରଶିରାରେ। ବାରମାସରେ ତେଏର ପର୍ବ ପାଳିତ ହୁଏ ଆମର ଖୁବ୍ ଆନ୍ତରିକତାରସହ।ପିଢି ପରେ ପିଢି କେଉଁ ଅନନ୍ତକାଳରୁ ପାଳି ଆସୁଛନ୍ତି ଏସବୁ ଖୁବ୍ ଖୁସି ମନରେ ।
ବୈଜ୍ଞାନିକ କାରଣସହ ପାଳିତ ହୁଏ ସବୁ ପର୍ବ। ଆମ ପୂର୍ବଜଙ୍କୁ କୋଟିକୋଟି ପ୍ରଣାମ ଆମପାଇଁ ତିଆରିଥିବା ନିର୍ଦ୍ଦିଷ୍ଟ ରାସ୍ତା ଆଜିର ଏ ଏକବିଂଶ ଶତାବ୍ଦୀରେ ବି ଆଦୃତ । ଗ୍ରୀଷ୍ମର ଡହକ ତାତିଲା ରୌଦ୍ରତାପରୁ ମୁକ୍ତି ପାଇଁ ଜୀବକୁଳ ଆତୁର ଯେତେବେଳେ , ମୌସୁମୀ ଆସେ ଠିକ୍ ସେତିକିବେଳେ। ଭିଜିଯାଏ ମାଟି । ଝରିଯାଏ ଆକାଶ। ଧରିତ୍ରୀ, ଧାରଣ କରିବାକୁ ତତ୍ପର ହୁଏ।
କୃଷିଭିତ୍ତିକ ପର୍ବ ଏ ରଜ, ଅନେକ ସଜବାଜନେଇ ଆସେ ଆମପାଖକୁ। ଆଗରୁ ଗୁଆ କଟା ହବ। ମସଲା ବଟା ହବ। ହଳଦି ବଟାଯିବ। ଦାନ୍ତକାଠିକୁ ଫାଳକରାଯିବ। ଜାଳେଣି କାଠ ସଜେଇରଖାଯିବ। ଚାଉଳକୁଟାଯିବ।ବିରିବଟାଯିବ। ପଟାଦୋଳି ,ଦଉଡି ଦୋଳି ବନ୍ଧାଯିବ। ଏମିତି ଏମିତି ଅନେକ କାମ। ସଜେଇ ରଖିଲେ ସିନା ସବୁ ଶୃଙ୍ଖଳିତଭାବରେ କରିହେବ। ଘରେ ଘରେ ନାନାପ୍ରକାର ପିଠା, ମିଠା, ତରକାରୀ ଆଉ ପାନର ପସରାନେଇ ଜେଜିମାଆ, ଆଈ ମାଆ,ମାଉସୀ ,ଖୁଡି ,ପିୟୁସୀ ତତ୍ପର। ଗାଁ ମୁଣ୍ଡରବରଗଛତଳେ କି ଚଉପାଢିଉପରେ ବାପା, କାକାଙ୍କର ତାସ୍ ଖେଳ। ଆଉ ଭାଇ ମାନେ ପଡିଆରେ ବାଗୁଡିର ମଜାରେ ମସଗୁଲ। ରଜ ପରା ଆସିଛି ।
ମନକୁ ମନ ପଚାରେ ଇଏ କି ପର୍ବକି ଲଗାତାର ତିନିଦିନର ମଉଜ । ଚଷାଭାଇ ଅକ୍ଷିତୃତୀୟାରେ ଅଖିମୁଠି ବୁଣି ଅନୁକୂଳ କରିଥିବା ଚାଷକାମ ଆଗେଇ ନେଇ ରଜସଂକ୍ରାନ୍ତିକୁ ଉପଭୋଗ କରିବାର ଖୁସିରେ ଆତ୍ମହରା। ଏଇତିନିଦିନ ହଳ ନିଷେଧ।ନଖରେ ଗାରଟିଏବି କାଟିବାମନା। କଦଳୀ ପାଟୁଆ ପିନ୍ଧିପକା ଜୋତାକରି।କାହିଁକି ଯେ…? ମାଆକୁ କଷ୍ଟ ହବନା ! ମାଆକୁ …? ହଁ , ଏ ପୃଥିବୀ , ଏ ମାଟି ଆମ ମାଆ। ସର୍ବଂସହା ମାଆ ପରା। ଖଣିଖାଦାନ ଖୋଳିନେଲେବି ‘ଉଁ’ କରେନି, ତାକୁ ବି କଷ୍ଟ ହବ। କାହିଁ ଦିନେ ତ କିଛି କୁହେନି ସେ । ଆଉ ଘରେ ଥିବା ମାଆ କେତେ ଆକଟ , କେତେ ଗାଳି , କେତେ ବାରଣ କରେ।
ପ୍ରକୃତି ମାଆ। ଧରଣୀ ମାଆ। ସଭିଙ୍କର ମାଆ। ତା’ ଶ୍ରଦ୍ଧା ସମାନ ସମସ୍ତଙ୍କ ପାଇଁ।ବର୍ଷକେ ଥରେ ସେ ଧାରଣ କରିବାକୁ ତତ୍ପର ହୁଏ। ଧିରସ୍ଥିର ହୋଇ ରହେ।ନୀରବରେ ମଗ୍ନିଭୂତ ଆଗାମୀ ସମୟପାଇଁ। ଶୀତଳବାରୀପାତରେ ବୀଜରୁ ଦ୍ବିପତ୍ରହେବାକୁ ଅପେକ୍ଷା କରିଥାଏ। ଆଉ କୁଆଁରୀଏ ପ୍ରସ୍ତୁତ ହୁଅନ୍ତି ଠିକ୍ ସେମିତି ଆଉ ଏକ ଜନ୍ମ ନେବାପାଇଁ। ମାଆ ଶିଖେଇଦିଏ ଧାରଣ କରିବା ପାଇଁ ଟିକିଏ ଶୃଙ୍ଖଳିତ ହେବା ଦରକାର । ଟିକିଏ ଆଦର ଲୋଡା। ଟିକିଏ ଦାୟିତ୍ୱ ଦରକାର। ଦେଖୁନା ବାପା, ଭାଇ, ଦାଦା, ମାମୁଁ, କାକା ଯେମିତି ଦୂରରେ ରହି ତାଗିଦ କରନ୍ତି ଠିକ୍ ସେମିତି ନିଘାରଖିଥାଆନ୍ତି। କୁଆଁରୀଏ ଆଗାମୀ ସମୟକୁ ସୁଖମୟ କରିବେ। ନୂତନ ବଂଶଧରକଙ୍କୁ ଆଣିବେ। ଅବାଟରେ ନୁହେଁ ବାଟରେ। ସତ୍ ପଥରେ। ବିଶୃଙ୍ଖଳିତଭାବେ ନୁହେଁ ସ୍ବାଭାବିକଭାବରେ। ସେଥିପାଇଁ ଆଦର,ଯତ୍ନ ଦେବାକୁ ହେବ ତାଙ୍କୁ।ସମ୍ମାନର ସହ ଆଗକୁ ଯିବାକୁ ପ୍ରୋତ୍ସାହିତ କରିବାକୁ ପଡିବ ଆମକୁ। ଆନ୍ତରିକଭାବେ ବିଶେଷ ଆଗ୍ରହରସହ ସତର୍କତା ପୂର୍ବକ ପ୍ରସ୍ତୁତ କରିବାକୁ ପଡିବ ସେମାନଙ୍କୁ। କନ୍ୟାରୁ ଜାୟା ,ଜନନୀ …ଜୀବନର ବିଭିନ୍ନ ପର୍ଯ୍ୟାୟ। ପ୍ରକୃତି ପାଖରୁ ନେଇ ଶିଖେଇଦେବାକୁହବ ସୁଶୀଳା , ସୁଦକ୍ଷା, ସୁଜ୍ଞା ହେବାର ମହାମନ୍ତ୍ର।
ମାଆର ପର୍ବକୁ ଝିଅର ପର୍ବଭାବରେ ପାଳନ କରୁଛୁ । ଅଥଚ, ସେଇ ଜାତିକୁ ଉପେକ୍ଷା କରୁଛୁ । କି ବିଚିତ୍ର ଆମର ବ୍ୟବହାର। ସତରେ ଏବେ ଆମ ମାନସିକତାର ପରିବର୍ତ୍ତନ ସହ ଶୃଙ୍ଖଳିତ ଜୀବନଧାରାର ଆବଶ୍ୟକତା ରହିଛି। ରହିଛି ଏକ ସୁସଂସ୍କୃତ ସୁସଂଯତ ଜୀବନଶୈଳୀକୁ ଆପଣାଇବାର ସୁଯୋଗ। ଆସନ୍ତୁ ନା ମିଳିମିଶି ପରିବର୍ତ୍ତନର ସ୍ବରକୁ ପ୍ରଣବରଧ୍ବନିରେ ରୂପାନ୍ତରିତ କରି ଗାଇବା।
ପର୍ବ ପାଳିବା, ଖୁସି ହେବା , ଏହାତ ସ୍ବାଭାବିକ। ନୂଆ ପିନ୍ଧିବା,ପିଠାଖାଇ ପାନ ଚୋବେଇ ଦୋଳିରେ ଝୁଲିବା ଠିକ୍ ଯେ ପର୍ବପାଳନର ନିହିତ ଅର୍ଥକୁ ଜାଣି ଜଣେଇବାକୁ ଆମର କର୍ତ୍ତବ୍ୟ ମଣିବା ନା ନାହିଁ। ନହଲେ ତ ଭିତରଫମ୍ପା ଉପର ଚକଚକିଆ ହୋଇରହିଯିବ ।
କାଂଶବାହାଲ
Comments are closed.