ଭୁବନେଶ୍ୱର: କର୍ଣ୍ଣାଟକ ବିଜୟଧାରାକୁ ଅନ୍ୟଆଡେ ବ୍ୟାପକ କରିବା ପାଇଁ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି ଅବସରରେ କର୍ଣ୍ଣାଟକର ପଡୋଶୀ ଓ ଅନ୍ୟତମ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ର ଉପରେ ଦଳର ନଜର ପଡିଛି।
ସେଥିପାଇଁ କର୍ଣ୍ଣାଟକ ନିର୍ବାଚନରେ ସଫଳତା ଦେଇଥିବା ନେତାଙ୍କୁ ନେଇ ମହାରାଷ୍ଟ୍ରରେ ଦଳ ପ୍ରଚାରରେ ଓଲ୍ହାଇଵାକୁ ବଡ଼ ଯୋଜନା କରିଛି। ଏହି କ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମେୟାଙ୍କୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ବାତାବରଣ ସୃଷ୍ଟି କରିବାକୁ ଦଳ କାର୍ଯ୍ୟ ଆରମ୍ଭ କରିଛି।
ସେଥିପାଇଁ ଚଳିତ ମାସ ୨୫ ତାରିଖରେ ସିଦ୍ଦରମେୟା ମହାରାଷ୍ଟ୍ରର ସଂଗଲି ଜିଲ୍ଲା ଓ ପୁନେ ଗସ୍ତ କରିବେ। ସଂଗଲି ଜିଲ୍ଲାରେ ଏକ ବଡ଼ କାର୍ଯ୍ୟକ୍ରମରେ ସିଦ୍ଦରମେୟା ଯୋଗଦେବାକୁ ଥିବା ବେଳେ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲି କରାଯିବ ବୋଲି କୁହାଯାଇଛି।
ସେଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହେଉଥିବା ବେଳେ ୨୫ ତାରିଖ ସକାଳୁ ଶୋଭାଯାତ୍ରା ହେବ ବୋଲି ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ କହିଛନ୍ତି। କର୍ଣ୍ଣାଟକ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କର୍ଣ୍ଣାଟକର ଲୋକପ୍ରିୟ ନେତା ସିଦ୍ଦରମେୟାଙ୍କୁ ପଡ଼ୋଶୀ ମହାରାଷ୍ଟ୍ରରେ ଅଧିକ କାର୍ଯ୍ୟକ୍ରମରେ ସାମିଲ କରାଇବା ପାଇଁ ଦଳ ଉଦ୍ୟମ କରୁଛି।
ଆଗାମୀ ୨୦୨୪ ଲୋକସଭା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବ୍ୟାପକ ଭାବେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ ହେଉଛି। ସେପଟେ ମଧ୍ୟପ୍ରଦେଶ ନିର୍ବାଚନ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବାରୁ ସେଠାରେ ରାଜନୈତିକ ବାତାବରଣ ସରଗରମ ହୋଇଛି।
ସେଠାରେ ମଧ୍ୟ କର୍ଣ୍ଣାଟକ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ କର୍ଣ୍ଣାଟକ ସଫଳତାର ମନ୍ତ୍ର ସହ ସଫଳ କରାଇଥିବା ନେତାଙ୍କ ଅଭିଜ୍ଞତାକୁ ଅନ୍ୟ ରାଜ୍ୟର ନିର୍ବାଚନରେ ବ୍ୟାପକ ଭାବେ ବ୍ୟବହାର କରିବାକୁ ଦଳ ସମସ୍ତ ଉଦ୍ୟମ କରୁଥିବା ଦେଖାଯାଉଛି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।
Comments are closed.