ପୁରୀ:ପବିତ୍ର ସହର ପୁରୀ । ରଥ, ମନ୍ଦିର ଆଉ ମଠମୟ ସହରରେ ଥରେ ପାଦ ରଖିଲେ ମିଳିଥାଏ ଅପୂର୍ବ ଶାନ୍ତି। ସେଥିପାଇଁ ତ ଆଜି ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଦେଖିବା ପାଇଁ ଦେଶ, ବିଦେଶରୁ ଧାଇଁ ଆସିଛନ୍ତି ଭକ୍ତ ।
ଏହି ରଥଯାତ୍ରା ଏକ ନିଆରା ପର୍ବ । ନିଆରା ଏହାର ସଂସ୍କୃତି , ପରମ୍ପରା । ରଥଯାତ୍ରା ପାଇଁ ପୁରୀରେ ଥିବା ଏକାଧିକ ମଠ ସହଯୋଗର ହାତ ବଢାଇଥାନ୍ତି । ଗଜାନନ ବେଶ, ପଦ୍ମବେଶର ଭୋଗଠାରୁ ଆରମ୍ଭ କରି ପାଦୁକା, ଚାନ୍ଦୁଆ ସବୁକିଛି ମହାପ୍ରଭୁଙ୍କୁ ଯୋଗାଇ ଦେଇଥାନ୍ତି ବିଭିନ୍ନ ମଠ । ଆସନ୍ତୁ ଜାଣିବା କେଉଁମଠ ରଥଯାତ୍ରା ପାଇଁ କ’ଣ ଦେଉଛନ୍ତି ।
କେହି କେହି ମଠ ଦ୍ୱାଦଶ ଶତାବ୍ଦୀରୁ ରଥଯାତ୍ରା ଓ ବାହୁଡା ଯାତ୍ରା ସମୟରେ ବିଭିନ୍ନ ସାମଗ୍ରୀ ଯୋଗାଇଥାନ୍ତି । ଏହି ପରମ୍ପରା ଦ୍ୱାଦଶ ଶତାଦ୍ଦୀରୁ ଲାଗି ରହିଛି । ତେବେ ଆସନ୍ତୁ ଜାଣିବା, କେଉଁ ମଠ କ’ଣ ଦିଏ ।
ରାଘବ ମଠ
ରଥ ଯାତ୍ରା ପୂର୍ବରୁ ଠାକୁର ଅଣସର ଘରେ ଥିବାବେଳେ ଏହି ମଠ କାଠରେ ନିର୍ମିତ କନକ ମୁଣ୍ଡି ଏବଂ ପ୍ରଭା ଯୋଗାଇଥାଏ । ଏଥସହିତ ଭୋଗ ଏବଂ ଅଣସର ଘରେଥିବାବେଳେ ରାଶି ତେଲ ମଧ୍ୟ ଯୋଗାଇଥାଏ । ଏକାଦଶୀ ଦିନ ୭ କିଲୋ ଚନ୍ଦନକାଠ ସହ ଭୋଗ ମଧ୍ୟ ଏହି ମଠରୁ ଠାକୁରଙ୍କ ପାଇଁ ଆସିଥାଏ । ଏସବୁ ବ୍ୟତୀତ ରାଘବ ମଠ ପକ୍ଷରୁ ଲୁଗା, ଟାହିଆା, ବିଜେ ତୁଳି ଇତ୍ୟାଦି ମଧ୍ୟ ରଥଯାତ୍ରା ପାଇଁ ଯୋଗାଇ ଦିଆ ଯାଇଥାଏ ।
ଗୋବର୍ଦ୍ଧନ ମଠ
ରଥଯାତ୍ରା ଦିନ ଗୋବର୍ଦ୍ଧନ ମଠ ପକ୍ଷରୁ ପନ୍ତିଭୋଗ ଆସିଥାଏ । ପହଣ୍ଡି ବିଜେ ସମୟରେ ଏହି ପନ୍ତିଭୋଗ ଠାକୁରଙ୍କୁ ଅର୍ପଣ କରାଯିବାର ପରମ୍ପରା ରହିଛି । ଖାଲି ରଥଯାତ୍ରର ପହଣ୍ଡି ସମୟରେ ନୁହେଁ, ଗୁଣ୍ଡିଚା ମନ୍ଦିରକୁ ଯିବାବେଳେ ଏବଂ ବାହୁଡା ଦିବ ପହଣ୍ଡି ସମୟରେ ଠାକୁରଙ୍କ ପାଇଁ ପନ୍ତି ଭୋଗ ଗୋବର୍ଦ୍ଧନ ମଠ ପକ୍ଷରୁ ହିଁ ଆସିଥାଏ । ଏହା ବ୍ୟତୀତ ପରମ୍ପରା ଅନୁଯାୟୀ ଏହି ମଠର ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥ ଉପରେ ଠାକୁରଙ୍କୁ ଦର୍ଶନ କରିବାର ପରମ୍ପରା ବି ରହିଛି ।
ଗୋପାଳତୀର୍ଥ ମଠ
ଗୁଣ୍ଡିଚା ଯାତ୍ରା ଦିନ ତିନି ଠାକୁରଙ୍କ ପାଖରେ ଭୋଗ ହୋଇଥାଏ ଖେଚୁଡି ଭୋଗ । ଏହି ଖେଚୁଡି ଭୋଗ ଗୋପାଳତୀର୍ଥ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ । ଏହାବ୍ୟତୀତ ସୁନାବେଶ ସମୟରେ ଠାକୁରଙ୍କୁ ଭୋଗ କରାଯାଉଥିବା ପୁରୀ, ସୋହ୍ଲା ଏବଂ ମହନ ଭୋଗ ମଧ୍ୟ ଏହି ମଠ ପକ୍ଷରୁ ପ୍ରସ୍ତୁତ କରାଯାଇ ଆସିଥାଏ ।
ଜଟିଆ ବାବାଜୀ ମଠ
ପ୍ରତିବର୍ଷ ପୁରୀ ଟେମ୍ପୁଲ ଅଫିସ ପକ୍ଷରୁ ଏକ ଚିଠି ବନାରସସ୍ଥିତ ଶ୍ରୀ ବିଜୟକୃଷ୍ଣ ମଠ ସଭାପତିଙ୍କୁ ଦିଆ ଯାଇଥାଏ । ଏହି ଚିଠିରେ ତିନିଠାକୁରଙ୍କ ପହଣ୍ଡି ପାଇଁ ୪ଟି ବିଜେ ଡୋରି ଦେବା ପାଇଁ କୁହାଯାଇଥାଏ । ସେହି ଅନୁସାରେ ବିଜୟକୃଷ୍ଣ ମଠ ୨ଟି ବିଜେ ଡୋରି ଜଟିଆ ବାବାଜି ମଠ ମଧ୍ୟମରେ ପଠାଇଥାଏ । ଏହି ବିଜେ ଡୋରି ନବଦିନ ଯାତ୍ରା ପୂର୍ବରୁ ପୁରୀରେ ପହଞ୍ଚିଥାଏ ।
ବଡ ଓଡ଼ିଆ ମଠ
ରାଘବଦାସ ମଠ ପରି ବଡ ଓଡ଼ିଆ ମଠ ରଥଯାତ୍ରା ପରମ୍ପରା ସହ ସିଧାସଳଖ ସଂପୃକ୍ତ ।ଠାକୁର ଅଣସର ଘରେ ଥିବାବେଳେ ଏହି ମଠ ଫୁଲୁରି ତେଲ, ରାଶି ତେଲ ଏବଂ ଭୋଗ ଯୋଗାଇ ଥାଏ । ବିଶେଷ କରି ନେତ୍ର ଉତ୍ସବରେ ଏହି ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକାଥାଏ । ଅଧରପଣା ସମୟରେ ଆବଶ୍ୟକ ସାମଗ୍ରୀ ଏହି ମଠ ଯୋଗାଇ ଥାଏ ।
Comments are closed.