କେନ୍ଦ୍ରର ଅର୍ଡିନାନ୍ସ ନେଇ କେଜରିୱାଲ୍ଙ୍କ ପ୍ରଶ୍ନରେ କଂଗ୍ରେସର ଜବାବ: ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ନିଆଯିବ ନିଷ୍ପତ୍ତି
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଡିନାନ୍ସ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ରୋକ୍ ଠୋକ୍ ପ୍ରଶ୍ନ ପରେ ଜବାବ ରଖିଛି କଂଗ୍ରେସ। ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନିଷ୍ପତ୍ତି ନିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।
ଗତକାଲି କେନ୍ଦ୍ର ଅର୍ଡିନାନ୍ସ ବିରୋଧରେ କଂଗ୍ରେସ ସମର୍ଥନ ନ କଲେ ଆପ୍ ବିରୋଧୀ ଦଳ ବୈଠକରେ ସାମିଲ୍ ହେବ ନାହିଁ ବୋଲି ଦଳ କହିଥିଲା। ଏହାର ଜବାବରେ ଆଜି ରାହୁଲ ଗାନ୍ଧୀ ଓ ଖଡ଼ଗେ ବିହାରରେ ପହଞ୍ଚିବା ପରେ ଜବାବ ରଖିଛନ୍ତି।
ଖଡ଼ଗେ କହିଛନ୍ତି “”ବିରୋଧ କରିବା କିମ୍ବା ପ୍ରସ୍ତାବ ଦେବା ବାହାରେ ହୁଏ ନାହିଁ, ଏହା ସଂସଦରେ ଭିତରେ ହୁଏ। ସଂସଦ ଆରମ୍ଭ ହେବା ପୂର୍ବରୁ କେଉଁ ପ୍ରସଙ୍ଗରେ ଏକାଠି ହୋଇ ପ୍ରଶ୍ନ ଉଠାଇବେ ସେ ନେଇ ସମସ୍ତ ବିରୋଧୀ ଦଳ ନିଷ୍ପତ୍ତି ନିଅନ୍ତି। ଏହା ସେମାନେ (AAP) ଜାଣନ୍ତି। ସେମାନଙ୍କର ନେତାମାନେ ମଧ୍ୟ ଆମର ସର୍ବଦଳୀୟ ବୈଠକକୁ ଆସିଛନ୍ତି। ବାହାରେ ଏ ବିଷୟରେ ଏତେ ପ୍ରଚାର କାହିଁକି ହେଉଛି ମୁଁ ଜାଣି ନାହିଁ।”
ତେବେ କାହାକୁ ବିରୋଧ କରିବେ ଏବଂ କ’ଣ ଗ୍ରହଣ କରାଯିବ ସେନେଇ ପ୍ରାୟ ୧୮-୨୦ ଦଳ ଏକାଠି ନିଷ୍ପତ୍ତି ନିଅନ୍ତି। ତେଣୁ ବର୍ତ୍ତମାନ କିଛି କହିବା ପରିବର୍ତ୍ତେ ସଂସଦ ଆରମ୍ଭ ହେବା ପୂର୍ବରୁ ଆମେ ନିଷ୍ପତ୍ତି ନେବୁ ବୋଲି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।
ଆଜି ବିହାର ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ସହଯୋଗରେ ବିରୋଧୀଙ୍କ ମହାମେଣ୍ଟ ବସୁଛି। ୨୦୨୪ ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ଏହି ବୈଠକରେ ଯୋଜନା ପ୍ରସ୍ତୁତ ହେବ। ଏଥିପାଇଁ ପାଖାପାଖି ୧୫ ରାଜନୈତିକ ଦଳ ପାଟନାରେ ପହଞ୍ଚ ସାରିଲେଣି।
ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସକାଳେ ପହଞ୍ଚିଥିଲେ। ଗତକାଲି ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ଭଗବନ୍ତ ମନ, ଏମ.କେ ଷ୍ଟାଲିନ ଏବଂ ମେହବୁବା ମୁଫତିଙ୍କ ସମେତ ଅନ୍ୟ ଅନେକ ନେତା ପାଟନାରେ ପହଞ୍ଚିସାରିଛନ୍ତି।ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ମେଣ୍ଟକୁ ସମର୍ଥନ ଜଣାଇଛନ୍ତି।
Comments are closed.