ବାସନ୍ତୀ ଲତା ଜେନା
ଅତୀତର ସ୍ମୃତି ହୃଦୟର ଭରା
ବନ୍ଦ ଝରକାର ସାଥେ
ଝରକା ଖୋଲିଲେ ଭିଜା ଭିଜା ସ୍ମୃତି
ଦହନ କରୁଛି ମୋତେ ।
କିଛି ସ୍ମୃତି ଓଠେ ହସ ଭରି ଦିଏ
ନୂଆ ସପନ ଆଖିର
ହୃଦୟ ବନରେ କୁସୁମ ଫୁଟଇ
ମିଠା ମିଠା ବାସ୍ନା ତାର ।
କିଛି ତିକ୍ତ ସ୍ମୃତି ପ୍ରାଣକୁ କନ୍ଦାଏ
କଲିଜାକୁ କାଟି ଦିଏ
ଶ୍ରାବଣର ଧାରା ନୟନୁ ଝରଇ
ଛାତି ଫାଟି ଯାଉ ଥାଏ ।
ଆଖିର ଲୁହରେ ଆଖିପତା ଭିଜେ
ମନ ଶାନ୍ତ ହୁଏ ନାହିଁ
ଦୁଃଖଦ ଘରଣା ଭୁଲି ହୁଏ ନାହିଁ
ଆଶା ସ୍ବପ୍ନ ମଉଳଇ ।
ମନ ଉଦ୍ୟାନରେ କିଛି କିଛି ସ୍ମୃତି
ଶୁଖିଲା ସୁମନ ପରି
ଫିଙ୍ଗିବାକୁ ଯେତେ ମନ ଚାହୁଁ ଥlଏ
ବୃନ୍ତରୁ ନ ଯାଏ ଝରି ।
ସ୍ମୃତିର କଳିକା ମନ ଆଇନାରେ
କେବେ ସେ ସକାଳ ସୂର୍ଯ୍ୟ
ପଶ୍ଚିମ ଦିଗନ୍ତେ କେବେ ଲୁଚି ଯାଏ
ଯାମିନୀ ବୁଣେ ମୁରୁଜ ।
ଦୁଃଖ ସୁଖ ଭରା ଏ ଜୀବନ ଆମ
ସ୍ମୃତି ଖାଲି ମୁକସାକ୍ଷୀ
ଏକାନ୍ତରେ କେବେ ଖୁସି ହେଉ ଥାଏ
କେବେ ହେଉ ଥାଏ ଦୁଃଖୀ ।
ହୃଦ ଅଗଣାରେ ବିଛାଇ ହୋଇଛି
ସ୍ମୃତିର କେତେ ଝଲକ
ଅନ୍ତର ବେଦନା ଲୁଚାଇବା ପାଇଁ
ହସର ନୂଆ ମୁଲକ ।
ଗାନ୍ଧୀନଗର, ନବରଙ୍ଗପୁର
Comments are closed.