Latest Odisha News

BREAKING NEWS

ଫାଇଭ ଟି ସଚିବ ଶୁଣାଇଥିବା ସିଏମଙ୍କ ବାର୍ତ୍ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ୫-ଟି ସଚିବ ଭି. କେ ପାଣ୍ଡିଆନ ସୋମବାର ବରଗଡ଼ରେ ଏକ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଭିନ୍ନ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବାକୁ ଯେଉଁ ନିର୍ଦ୍ଦେଶ ଦେଇଥିବାର ଅଡିଓ ରେକର୍ଡିଂ ଶୁଖାଇଥିଲେ ତାହାର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛି ଓଡ଼ିଶା କଂଗ୍ରେସ।

ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଶୁଣାଯାଇଥିବା ଅଡିଓ କ୍ଲିପ ମୁଖ୍ୟମନ୍ତ୍ରୀଙ୍କର ନୁହେଁ ବୋଲି କଂଗ୍ରେସ ବିଶ୍ବାସ କରୁଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ନବୀନ ପଟ୍ଟନାୟକଙ୍କ ଅନୁମୋଦନର ଲିଖିତ ପ୍ରମାଣ ସରକାର ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଅନ୍ୟ ସଚିବଙ୍କ ଗସ୍ତ ପାଇଁ ରାଜ୍ୟ ସରକାର ସମାନ ଖର୍ଚ୍ଚ କରିବେ କି ବୋଲି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ବିଶେଷ କରି ଗତ ୨୫ ବର୍ଷ ମଧ୍ୟରେ ସରକାର ଧାର୍ମିକ ଅନୁଷ୍ଠାନର ବିକାଶ କରିବାରେ ବିଫଳ ହୋଇଥିବା ବେଳେ ପାଣ୍ଡିଆନଙ୍କ ଗସ୍ତ ପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଏହି ଅଡିଓ କ୍ଲିପ୍ରୁ ପ୍ରମାଣିତ ହୋଇଛି ଯେ, ସିଏମ୍ ଆଉ କୌଣସି ସ୍ଥାନକୁ ଯିବାର ସ୍ଥିତିରେ ନାହାନ୍ତି। ବିଜେପି-ବିଜେଡି ମଧ୍ୟରେ ସାଣ୍ଠଗାଠ ରହିଛି ଏବଂ ସେମାନେ ଏକାଠି ହୋଇ ନିର୍ବାଚନ ଲଢ଼ିବେ ବୋଲି ସେ ଦାବି କରିଛନ୍ତି।

କଂଗ୍ରେସର ଅଭିଯୋଗ ଉପରେ ଓଡ଼ିଶା ସରକାର କିମ୍ବା ଶାସକ ଦଳ କୌଣସି ପ୍ରତିକ୍ରିୟା ଦେଇନାହିଁ।

Comments are closed.