ବୋଉ
ସରୋଜ ମହାପାତ୍ର
ବାରମ୍ବାର ପୁଅମାନଙ୍କ
ଅବହେଳା ଓ ହରକତ କଥା ଶୁଣି
ବେଳେବେଳେ
ବୋଉ ମୋର ବି
ଭାବୁଥାଇପାରେ –
ଏ ଟୋକାଟା ତ ଅଫିସ କାମ ଆଳରେ
ଅନେକ ଦିନ ହେଲା
ଘରମୁହାଁ ହେଇନି!
ରାଜଧାନୀରେ ରହୁଚି
ସମତେ କହୁଚନ୍ତି,
ସାହେବ ହେଇଚି ।
ସେ ଯାହା ହେଉ
ମଝିରେ ମଝିରେ
ମୋ ଫୋନଟା ବୋଧେ
କିଛି ପାପ ଚିନ୍ତାରୁ
ତାକୁ ଦୂରେଇ ରଖୁଛି !
ଅନେକ ନଜିର ଅଛି
ସାହେବିପଣିଆରେ
ସ୍ତ୍ରୀ କଥାର ଚିକ୍ ଚିକ୍
ସରୁ କଇଁଚି ଧାରରେ
ଚର୍ ଚର୍ ହୋଇ କଟିଯାଇଛି
କେତେ ପୁଅପଣିଆ ।
ଅଗ୍ନି ପରୀକ୍ଷାର ଅନେକ ପୂର୍ବରୁ
ଫାଟି ପଡିଛି ମାଟି
କ୍ଷତ ବିକ୍ଷତ ହୋଇ
ଭାଙ୍ଗିପଡିଛି ଅନେକ ଶପଥ ।
କାନି ଗଣ୍ଠି କାନିରେ ଝୁଲୁଛି
ଯେମିତି ଅସହାୟ, ନିସର୍ତ୍ତ ।
ବୋଉ ଭାବୁଥିବ
ମୁଁ ବୋଧେ ଭୁଲିଯାଇଥିବି
ସାତ ସମୁଦ୍ର ତେର ନଈ,
ସତ୍ୟର କାଳଜୟୀ
ନିରୀହ ବଉଳା ଗାଈ,
ବୁଢୀ ଅସୁରୁଣୀ
ମିଛୁଆ ରାଧୁଆ କାହାଣୀ ।
ସେଗୁଡା କଣ ଆଉ
ଭୁଲି ହବଲୋ ବୋଉ !
ଆସୁ ପଛେ ଯେତେ
ପ୍ରେମର ଜୁଆର
ପ୍ରାଚୁର୍ଯ୍ୟର ସମ୍ଭାର
ଆହ୍ଲାଦିତ ଇସ୍ତାହାର…
ବୋଉ ତୋ ପାଇଁ
ମୁଁ ବ୍ୟସ୍ତତାର ଦ୍ୱାହିରେ
ଅନେକ ଅସ୍ଥିରତା ଭିତରେ ବି
ପାଲଟି ଯାଇଛି ସ୍ଥିର ଆସ୍ତରଣଟିଏ ।
ବାତ୍ସଲ୍ୟ ଆକାଶ ତଳେ
ଆଶ୍ରିତ ବିଚରଣଟିଏ ।
ତୋ ସାନିଧ୍ୟ ପୃଥିବୀର
ସେଇମିତି
ଅମାନିଆ ଋତୁଟିଏ !
…………………..
ଯନ୍ତ୍ରୀ, ଭୁବନେଶ୍ଵର ମହାନଗରର ନିଗମ
ଫୋ- 7008167321
Comments are closed.