Latest Odisha News

ଗାଧୋଇବା ପାଣି ପାଇଁ ଦୁର୍ଦ୍ଦଶା ରେ ତୁକୁଲା ଗ୍ରାମବାସୀ

ନୁଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର  ବୃହତ୍ତମ ଗାଁ  ହେଉଛି ତୁକଲା । ଗାଁରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ଗାଧୋଇବା ପାଣି ସମସ୍ୟା ଏହି ଗାଁ ପାଇଁ ଏକ ବିରାଟ ସମସ୍ୟା ଭାବରେ ଉଭା ହୋଇଛି । ବୈଶାଖ ଯାଇ ଶ୍ରାବଣ ହେଲାଣି କିନ୍ତୁ ଗାଁରେ ପାଣି ସମସ୍ୟାର ସମାଧାନ ହୋଇ ପାରୁନାହିଁ । ପୂର୍ବରୁ ଗାଁରେ ୨ଟି ପୋଖରୀ ଥିଲା । ଗୋଟିଏର ଅବସ୍ଥା ପୂରା ବେହାଲ ଥିବା ବେଳେ ଅନ୍ୟଟିକୁ ମରାମତି କରିବା ନାଁରେ ପୋଖରୀ ପାଣିକୁ ଶୁଖାଇ ଦେଇଛନ୍ତି କାମ କରୁଥିବା ଠିକାଦାର । ତେଣୁ ଗାଧୋଇବା ଏଇ ଗାଁ ଲୋକଙ୍କ ଲାଗି ସାତ ସପନ ହୋଇଯାଇଛି  । କାମ କରିବା ନାଁରେ ପାଣି ଭର୍ତ୍ତି ଥିବା ପୋଖରୀ କୁ ଖୋଳିଦେଇ ଚୁପ ବସିଛନ୍ତି କାମ କରୁଥିବା ଠିକାଦାର ଓ ସ୍ଥାନୀୟ ଜନ ପ୍ରତିନିଧି । ବର୍ତ୍ତମାନ ଗ୍ରାମବାସୀ ଙ୍କ ଗୋଟିଏ ପ୍ରଶ୍ନ ଆମେ ଗାଧୋଇବୁ କେଉଁଠି ଓ କେମିତି ?

ପୋଖରୀର ଅବସ୍ଥା ଏବେ ପୂରା ବେହାଲ । ପୋଖରୀରେ ପାଣି ତ ଦେଖାଯାଉନି ବରଂ ତା ଭିତରେ ଅନାବନା ଗଛଲତା ସାଙ୍ଗକୁ ପଙ୍କ ଭରି ରହିଛି । ପୁଣି ଚତୁଃପାର୍ଶ୍ଵରେ ଗଦାଗଦା ଅଳିଆ ଆବର୍ଜନା ପଡ଼ିରହିଛି । ତେଣୁ ସମୟକ୍ରମେ ଏଇ ପୋଖରୀ ପୋତି ହେବାରେ ଲାଗିଲାଣି । ତେଣୁ ତୁରନ୍ତ ପୋଖରୀର ପୁନରୁଦ୍ଧାର କରିବାକୁ ଦାବି କରୁଛନ୍ତି ଗାଁ ଲୋକେ ।

ଏବେ ତୁକୁଲା ଗାଁର ଜଗନ୍ନାଥ ମନ୍ଦିର ପାଖରେ ଥିବା ଅନ୍ୟ ଏକ ପୋଖରୀ ହେଉଛି ମାନମତି ପୋଖରୀ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହା ପ୍ରାଚୀନ ଜଳାଶୟ । ପାଖାପାଖି ୪ ଶହ ବର୍ଷ ପୂର୍ବରୁ ପଶ୍ଚିମ ଓଡିଶାର ଆଦିକବି ଚୈତନ୍ୟ ଦାସଙ୍କ ଗୁରୁ ଚମାର ରାୟ ନିଜ ପତ୍ନୀ ମାନମତିଙ୍କ ନାଁରେ ଏହି ପୋଖରୀ ଖୋଳିଥିଲେ । ଆଉ ସେହିଦିନରୁ ପୂରା ଗାଁ ଲୋକ ଏହା ଉପରେ ନିର୍ଭର କରୁଥିଲେ । ୨୦୧୮-୧୯ ମସିହାରେ ପୋଖରୀକୁ ଆଦର୍ଶ ପୋଖରୀ କରିବା ନାଁରେ ପାଣି ଶୁଖାଇ ଦେଇ ମଂଥର ଗତି ରେ କାମ କରୁଛନ୍ତି କାମ କରୁଥିବା ଠିକାଦାର । ସେପଟେ ପଞ୍ଚାୟତରେ ଦେଖା ଯାଇଥିବା ପାଣି ସମସ୍ୟା ନେଇ ମୁହଁ ଖୋଲୁନାହାନ୍ତି ସ୍ଥାନୀୟ ସରପଞ୍ଚ । ଅପରପକ୍ଷରେ ଖଡ଼ିଆଳ ବିଡ଼ିଓ ତଦନ୍ତ କରି ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତୁକୁଲା ଗାଁର ଗାଧେଇବା ପାଣି ସମସ୍ୟା ଯିଏ କେହି ନଦେଖିଛି ବିଶ୍ୱାସ କରିବ ନାହିଁ । ପ୍ରତି ଗାଁରେ ଲୋକଙ୍କୁ ପାଣି ଯୋଗାଇ ଦେବା ସହିତ ବିଭିନ୍ନ ପଞ୍ଚାୟତରେ ଆଦର୍ଶ ପୋଖରୀ ନାଁରେ କୋଟି କୋଟି ଟଙ୍କା ସରକାରୀ ତହସିଲରୁ ଖର୍ଚ୍ଚ ହେଉଛି । ହେଲେ ଏହା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ।

Comments are closed.