Latest Odisha News

BREAKING NEWS

ବଢିଲା ବନକଲାଗି ବିବାଦ: ସମନ୍ଵୟ ଅଭାବରୁ ହୋଇପାରୁନି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର

ପୁରୀ:ଶ୍ରୀମନ୍ଦିରରେ କେଉଁଦିନ ହେବ ଠାକୁରଙ୍କ ବନକଲାଗି ? ବୁଧବାର ନା ଗୁରୁବାର ? ଏହାକୁ ନେଇ ବଢି ଚାଲିଛି ବିବାଦ । ଶ୍ରୀମନ୍ଦିର ପ୍ରଶାସନ ଆଜି ବନକଲାଗି ନୀତି କରିବା ପାଇଁ କହିଥିବା ବେଳେ ସେବାୟତ ଆସନ୍ତାକାଲି ଅର୍ଥାତ ଗୁରୁବାର କରିବା ପାଇଁ ଅଡି ବସିଛନ୍ତି ।   ପ୍ରଶାସନ ଏବଂ ସେବାୟତଙ୍କ  ମଧ୍ୟରେ ସମନ୍ଵୟ ଅଭାବରୁ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇପାରୁନାହିଁ ।

ଆଜି ବନକଲାଗି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଦତ୍ତମହାପାତ୍ର ସେବକଙ୍କୁ   ଅନୁରୋଧ କରିଛି। ୨୦୧୮ ମସିହା ନିଷ୍ପତ୍ତି ମୁତାବକ ବୁଧବାର ବନକଲାଗି କରିବାକୁ ଯୁକ୍ତି ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।   ଆଜି ବନକଲାଗି ନୀତି ପାଇଁ ସବୁ ଦ୍ରବ୍ୟ ପ୍ରସ୍ତୁତ ରଖିଛି ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯୁକ୍ତି ରଖି  କହିଛନ୍ତି, ଆଜି ବନକଲାଗି କରାନଗଲେ ଧାରା ୩୩ ଅନୁଯାୟୀ ସେବାରୁ ହଟିବେ ଦତ୍ତମହାପାତ୍ର ସେବକ ।

ଅନ୍ୟପକ୍ଷେ ରେକର୍ଡ ଅଫ୍ ରାଇଟ୍ସ ଆଧାରରେ ବନକଲାଗି କରିବା ଜିଦରେ ଅଟଳ ରହିଛନ୍ତି ଦତ୍ତମହାପାତ୍ର ସେବାୟତ । ଆସନ୍ତାକାଲି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁରୋଧ କରିଛନ୍ତି ଦତ୍ତମହାପାତ୍ର ସେବାୟତ ।

ସୂଚନାଥାଉ କି,  ଗତ ୧୯ ତାରିଖରେ ଦତ୍ତ ମହାପାତ୍ରଙ୍କୁ ଠାକୁରଙ୍କ ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ଦତ୍ତ ମହାପାତ୍ର ନିଯୋଗ ଏହା କରିନଥିଲେ । ଏଥିପାଇଁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଜବାବରେ ନିଯୋଗ ପକ୍ଷରୁ ଦାଖଲ ଉତ୍ତର ସନ୍ତୋଷଜନକ ନଥିଲା । ଏହା ପରେ ପୁଣିଥରେ ଆଜି ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା  ।

Comments are closed.