ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମପାବନ ଶ୍ରୀମହାପ୍ରସାଦ ମାହାତ୍ମ୍ୟ କଣ ବା ବର୍ଣ୍ଣନା କରିବା । ଶାସ୍ତ୍ର କହେ ଶ୍ରୀମହାପ୍ରସାଦରେ ଶୌଚାଶୌଚ, ଭକ୍ଷାଭକ୍ଷ୍ୟ ଓ ସ୍ପୃଶ୍ୟାସ୍ପୃଶ୍ୟ ଜନିତ ଦୋଷ ନଥାଏ। ଅର୍ଥାତ ଶ୍ରୀମହାପ୍ରସାଦ ପ୍ରତ୍ୟେକ ସ୍ଥଳରେ, ପ୍ରତ୍ୟେକ ସ୍ଥିତିରେ ଗ୍ରହଣୀୟ । ଏହି ମହାପ୍ରସାଦ (ଅନ୍ନ ନୈବେଦ୍ୟ ) ଦେବତାମାନଙ୍କ ପାଇଁ ମଧ୍ଯ ଦୁର୍ଲ୍ଲଭ ଯାହାର ପରମ୍ପରାଗତ ଉଦାହରଣ ଆଜି ବି ଶ୍ରୀକ୍ଷେତ୍ରରେ ଦେଖାଯାଏ । ଅର୍ଥାତ ଶ୍ରୀକ୍ଷେତ୍ର ସ୍ଥିତ ବିଭିନ୍ନ ଦେବା ଦେବୀଙ୍କୁ ମହାପ୍ରଭୁଙ୍କୁ ସମର୍ପିତ ଶ୍ରୀମହାପ୍ରସାଦ ପୁନଃ ସମର୍ପଣ କରାଯିବାର ବିଧି ପାଳିତ ହୁଏ। ଏଠି ଶ୍ରୀମହାପ୍ରସାଦଙ୍କୁ ବ୍ରହ୍ମ ଭଳି ନିର୍ବିକାର ଭାବରେ ଗ୍ରହଣ କାରାଯାଏ। ବ୍ରହ୍ମବୈବର୍ତ୍ତ ପୁରାଣ ବର୍ଣ୍ଣନା ଅନୁସାରେ ପରମ ପବିତ୍ର ନୀଳାଚଳ କ୍ଷେତ୍ରରେ ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ସମସ୍ତ ପୁଣ୍ୟ ଫଳ ଶ୍ରୀମହାପ୍ରସାଦ ସେବନ ଦ୍ୱାରା ମିଳିଥାଏ। ଯଥା :- “ସତ୍ୟଂ ସତ୍ୟଂ ପୁନଃ ସତ୍ୟଂ ସତ୍ୟମେବ ସୁନିଶ୍ଚିତମ୍ ଭକ୍ତ୍ୟା ମମlନ୍ନ ଭୁକ୍ତ୍ଵlତୁ ସାନିଧ୍ୟ୍ୟଂ ମମ ଗଛତି ।” ଅର୍ଥାତ ଏହା ମହାସତ୍ୟ ଅଟେ ଯେ ଯେଉଁ ଭକ୍ତ ମୋ ଅନ୍ନ ବ୍ରହ୍ମଙ୍କୁ ଗ୍ରହଣ କରିବେ। ସେ ମୋ ସାନିଧ୍ୟ ନିଶ୍ଚିତ ପାଇବେ। ପଦ୍ମ ପୁରାଣ ଏହି କଥାକୁ ସମର୍ଥନ କରି ବର୍ଣ୍ଣନା କରିଛି ବିଭିନ୍ନ ପ୍ରକାର ବ୍ରତ, ଉପବାସ, ଯଜ୍ଞକ୍ରିୟା, ଜପ, ହୋମ, ଅସଂଖ୍ୟ ବ୍ରlହ୍ମଣ ଭୋଜନ, କଷ୍ଟସାଧ୍ୟ ଚlନ୍ଦ୍ରlୟାନ ବ୍ରତ ସାଧନା ଇତ୍ୟାଦି ସମସ୍ତ ସଦାଚାର ଦ୍ୱାରା ମିଳୁଥିବା ପୁଣ୍ୟ ଫଳ ମଧ୍ଯ ସାଧାରଣ ମଣିଷଟିଏ ଶ୍ରୀମହାପ୍ରସାଦ (ଅନ୍ନ ବ୍ରହ୍ମ ) ଙ୍କୁ ସେବନ କରିବା ମାତ୍ରେ ପାଇଥାଏ। ସେହିପରି ଭବିଷ୍ୟପୁରାଣରେ ଅତି ପ୍ରାଞ୍ଜଳ ଭାବରେ ଶ୍ରୀମହାପ୍ରସାଦଙ୍କ ମହିମା ବର୍ଣ୍ଣନା ହେଇଛି ଓ କୁହାଯାଇଛି ଶ୍ରୀମହାପ୍ରସାଦ ସେବନ ମାତ୍ରକେ ପାପ, ମହାପାତକ, ଅତିପାତକ ଇତ୍ୟାଦି ବିନିଷ୍ଠ ହୋଇଥାଏ। କେବଳ ଅନ୍ନ ପ୍ରସାଦ ନୁହେଁ ତାହା ଶୁଖିଯାଇ ନିର୍ମାଲ୍ୟ ହୋଇ ଯିବାପରେ ମଧ୍ଯ ଏହାକୁ ଅମୃତ ତୁଲ୍ୟ ବିବେଚନା କରାଯାଇଥାଏ । କଥିତ ଅଛି ଏହି ନିର୍ମାଲ୍ୟକୁ ମସ୍ତକରେ ଧାରଣ କଲେ ମହାପାପ ଦୂରୀଭୂତ ହୋଇଥାଏ। ଏହାକୁ ସେବନ କରିବା ମାତ୍ରେ ସମସ୍ତ ପାପ ସହ ବିପଦ ମଧ୍ୟ ଦୂରୀଭୂତ ହୋଇଥାଏ। ଶ୍ରୀମହାପ୍ରସାଦଙ୍କୁ ଆଘ୍ରାଣ କଲେ ମାନସିକ ଚାପ ଓ ପାପ ଦୂରୀଭୂତ ହୁଏ। କେବଳ ଦର୍ଶନ କଲେ ମଧ୍ଯ ଦୃଷ୍ଟି ଜନିତ ଦୋଷ ଖଣ୍ଡନ ହୁଏ। ଆଉ ଭକ୍ଷଣ କଲେ ବାକ୍ୟ ଦ୍ୱାରା କରିଥିବା ପାପ ଓ ଶ୍ରବଣ ଜନିତ ପାପ ଦୂରୀଭୂତ ହୋଇଥାଏ।
ଆଗାମୀ ଅଧ୍ୟାୟରେ ଜାଣିବା ଆଉ କିଛି ଗ୍ରନ୍ଥରେ ବର୍ଣ୍ଣିତ ଶ୍ରୀମହାପ୍ରସାଦ ମହିମା ବା ମାହାତ୍ମ୍ୟ। ଏବେ କିନ୍ତୁ ସମୟ ଆରାଧନା ଓ ଭାଗବତ ପଠନ।
ଏହାଙ୍କୁ ବଧ ଯେ କରନ୍ତି
ଜୀବନ ଥାଉଁ ସେ ମରନ୍ତି ।
ଯାହାକୁ ରଖିବେ ଅନନ୍ତ
କି କରିପାରେ ବଳବନ୍ତ ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.