ଭୁବନେଶ୍ୱର: ଭଞ୍ଜନଗର ସ୍ଥିତ ବେଲେଶ୍ୱର ପୀଠ ପାଲଟିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ । ଏଠାକାର ଶୈବ ମୂର୍ତ୍ତି ଓଡ଼ିଶାର ସର୍ବୋଚ୍ଚ ଶୈବ ମୂର୍ତ୍ତି ଅଟେ । ଦିନର ଆଲୋକ ଅପେକ୍ଷା ରାତିର ରଙ୍ଗବେରଙ୍ଗ ଆଲୁଅରେ ଝଲସି ଉଠୁଛି ଏହିଶୈବ ମୂର୍ତ୍ତି । ଏହାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଜମୁଛି ଏଠାରେ ।
ସନ୍ଧ୍ୟା ହେଲେ ଚଳଚଞ୍ଚଳ ହୋଇ ଉଠୁଛି ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବଙ୍କ ପୀଠ । ଓଁକାର ଧ୍ୱନିରେ କମ୍ପି ଉଠୁଛି ପରିବେଶ। ପ୍ରାୟ ୬୧ ଫୁଟର ମହାଦେବଙ୍କ ମୂର୍ତ୍ତି ଉପରେ ଲେଜର ଲାଇଟ୍ ସୋ ମଧ୍ୟ ଆରମ୍ଭ ହୋଇଛି ଏଠାରେ । ଭକ୍ତି ଓ ମନୋରଞ୍ଜନର ସଙ୍ଗମ ପାଲଟିଛି ମହାଦେବଙ୍କ ଏହି ପୀଠ।
୨୦୧୩ରେ ଭଞ୍ଜନଗର ଜଳସଂପଦ ବିଭାଗ ପକ୍ଷରୁ ବେଲେଶ୍ୱର ପୀଠ ପ୍ରତିଷ୍ଠା ହୋଇଥିଲା। ତା ସହ ଏଠାରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ,ବିଜୁ ମୀନାର ୱାଚ୍ ଟାୱାର ମଧ୍ୟ ନିର୍ମାଣ ହୋଇଛି। ବେଲେଶ୍ୱର ପୀଠ ପାଖରେ ରହିଛି ଜଳଭଣ୍ଡାର ଓ ପାହାଡ।
ଏହି ପୀଠର ବିକାଶ ପାଇଁ ସବୁ ସ୍ତରରେ ଉଦ୍ୟମ ହୋଇପାରିଲେ ବିଦେଶୀ ପର୍ଯ୍ୟଟକଙ୍କର ମଧ୍ୟ ଏଠାରେ ଭିଡ଼ ଜମିବ ବୋଲି କହୁଛନ୍ତି ସ୍ଥାନୀୟ ବାସିନ୍ଦା ।