Latest Odisha News

BREAKING NEWS

କବିତା : ଫେରିବାର ଥାଏ ବୋଲି

ସୁନନ୍ଦା (ବି) ମହାପାତ୍ର 

ଫେରିବାର ଥାଏ ବୋଲି
ଫେରିବାକୁ ହୁଏ,
ନହେଲେ,ଥରେ ଗଲେ
କିଏ ଅବା ଫେରିବାକୁ ଚାହେଁ !

ଫେରିଲେ କି ଫେରିଆସେ
ଯାହା ଚାହେଁ ମନ ?
ମନାଏ କି କେହି
ଭାଙ୍ଗି ଅଭିମାନ ?
ଧାଏଁ କି ପଛେ କେହି
ଭିଡ଼ି କି ଆଣେ କେହି ?
ଅଳି କି କରେ କେହି
‘ଆସ ଫେରି ଆସ’ କହି
ଖାଇ ନିଜ ରାଣ ?

କେଜାଣି କାହିଁକି
ହାଣ ମୁହଁରୁ ବି
ଜୀବନକୁ ବାର ବାର
ଫେରିବାକୁ ହୁଏ…!
କାହା ଲୋଡ଼ିଲାପଣର ଦ୍ବାହିରେ
ଲେଉଟେ ଏ ପାଦ
ଘାଣ୍ଟି ହୁଏ ପ୍ରାଣ
ନିଜ ପାଇଁ କିଏ ଅବା
ବଞ୍ଚିବାକୁ ଇଚ୍ଛେ
ମରି ମରି ବଞ୍ଚେ ଯିଏ !
ତା’ ପାଇଁ ଜୀବନ ବା ମରଣରେ
କେତେ ଯେ ଫରକ୍ ଥାଏ ?
ଥରେ ପଛ କରିଦେଲେ
ନିଜ ଇଚ୍ଛାରେ
କିଏ ଅବା ଫେରିବାକୁ ଚାହେଁ ??

 

Comments are closed.