Latest Odisha News

୮ କୋଟିର ବ୍ୟାଙ୍କ ଋଣ ଜାଲିଆତି ମାମଲା, ଆଉ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ବ୍ୟାଙ୍କ ଋଣ ଘୋଟାଲା ମାମଲାରେ ରବିବାର ଅର୍ଥନୈତିକ ଅପରାଧ ଶାଖା (EOW) ଆଉ ୨ ଜଣଙ୍କୁ ଗିରଫ କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଫୁଲବାଣୀ ଶାଖାରେ ପ୍ରାୟ ୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଓଡବ୍ଲୁ ।

ଗିରଫ ଅଭିଯୁକ୍ତ ହେଲେ ସମରେଶ ରଞ୍ଜନ ଦାସ ଓ ହେମନ୍ତ ପଣ୍ଡା । ସମରେଶ ରଞ୍ଜନ ଦାସ ଯୋଗାଣ ବିଭାଗର ଇନ୍ସପେକ୍ଟର ଥିବା ବେଳେ ନିଲମ୍ବିତ ହୋଇଥିଲେ । ସେହିଭଳି ହେମନ୍ତ ପଣ୍ଡା ହେଉଛନ୍ତି ସ୍ମୃତି ମଲ୍ଟି ପ୍ରପୋଜ୍ କୋଅପରେଟିଭ୍ ସୋସାଇଟି ଲିମିଟେଡର ସମ୍ପାଦକ ।

ଋଣ ଜାଲିଆତି ମାମଲାରେ ପୂର୍ବରୁ ଫୁଲବାଣୀ ଏସବିଆଇ ଶାଖାର ମ୍ୟାନେଜର ତଥା ଫିଲ୍ଡ ଅଫିସର ଆଶୁତୋଷ ଆଚାର୍ଯ୍ୟ ଗିରଫ ହୋଇଥିଲେ । ସେ ବେଆଇନ୍ ଭାବେ ୫୯ଟି ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ଯାହାକି ଦରମାଧାରୀଙ୍କ ପାଇଁ ଉଦ୍ଧିଷ୍ଟ ଓ ୨୬ଟି ଭତ୍ତା ଲୋନ୍ କରିଥିଲେ ।

ଏଭଳି ଭାବେ ସେ ତାଙ୍କ ପରିବାରର ସଦସ୍ୟ, ସମ୍ପର୍କୀୟଙ୍କ ଆକାଉଣ୍ଟକୁ ୮, ୦୧, ୮୭, ୦୦୦ ଟଙ୍କା ଟ୍ରାନ୍ସଫର କରିଥିଲେ । ୨୦୨୧ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ଏହି ଜାଲିଆତି ହୋଇଥିଲା । ଆଶୁତୋଷଙ୍କ ବାପା, ମାଆ ଏଭଳିକି ମୃତ ସମ୍ପର୍କୀୟଙ୍କୁ ଋଣ ମିଳିଥିଲା ।

ବିଭିନ୍ନ ଜାଲ୍ କାଗଜପତ୍ର ଦେଇ ଆଶୁତୋଷ ଲୋନ୍ କରିଥିଲେ । ପ୍ରକୃତ ଖାତାଧାରୀଙ୍କ ଅଜାଣତରେ ଋଣ ଉଠାଇବା ସହ ସମ୍ପର୍କୀୟ ଏବଂ ଏବେ ଗିରଫ ହୋଇଥିବା ୨ ଜଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରୁଥିଲେ ।

ତଦନ୍ତ ବେଳେ ଜଣା ପଡ଼ିଥିଲା ୧.୪୬ କୋଟି ଏବଂ ୪୭, ୪୩, ୧୦୪ ଟଙ୍କା ଦାସଙ୍କ ଆକାଉଣ୍ଟରେ ଜମା ହୋଇଥିବା ବେଳେ ୩ କୋଟିରୁ ଅଧିକ ଟଙ୍କା ସ୍ମୃତି ମଲ୍ଟି ପ୍ରପୋଜ୍ କୋଅପରେଟିଭ୍ ସୋସାଇଟିକୁ ଯାଇଛି । ଏହି ଆଧାରରେ ଇଓଡବ୍ଲୁ ୨ ଜଣଙ୍କୁ ଗିରଫ କରିଛି ।

Comments are closed.