ନୂଆଦିଲ୍ଲୀ: ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ । ତାସ ଘର ପରି ଭୁଶୁଡ଼ୁଛି ଘର । ପାହାଡରୁ ଖସୁଛି ବଡ ବଡ ପଥର ଖଣ୍ଡ । ଯେଉଁ ଆଡ଼େ ଦେଖିବ କେବଳ ବିଧ୍ବଂସର ଚିତ୍ର। ଦୁଇଟି ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ । ମାତ୍ର ୩ ଦିନ ମଧ୍ୟରେ ୮୧ ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଆଖି ପିଛୁଳାକେ ନେଇଯାଉଛି ଜୀବନ । ଉଜାଡି ଦେଉଛି ଜୀବିକା । ବର୍ତ୍ତମାନ ସୁଦ୍ଧା ୧୦ ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇ ସାରିଥିବା ଆକଳନ କରାଯାଇଛି ।
ସେପଟେ ହିମାଚଳରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସିମଲାର କ୍ରିଷନନଗର ଠାରେ ୩ ମହଲା କୋଠା ଭୁଶୁଡ଼ିଥିବା ବେଳେ କାଙ୍ଗ୍ରାରେ ସ୍ଥିତି ଅସମ୍ଭାଳ। ୩ଦିନରେ ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି। ୧୩ ଜଣ ଏବେ ବି ନିଖୋଜ ଅଛନ୍ତି । ଭୂସ୍ଖଳନରେ କାଙ୍ଗ୍ରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । କେବଳ ହିମାଚଳରେ ୬୫ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି।
ଚଳିତ ମୌସୁମୀରେ ହିମାଚଳରେ ମୋଟ୍ ୧୭୦ରୁ ଅଧିକ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ହୋଇଛି । ପାଖାପାଖି ୯,୬୦୦ ଘର ଭାଙ୍ଗିରୁଜି ଯାଇଛି । ସୋଲନ, ଶିମ୍ଲା, ମଣ୍ଡି, ହମିରପୁର ଏବଂ କାଙ୍ଗ୍ରା ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ସେପଟେ ଖରାପ ପାଗ ଯୋଗୁଁ ଆଜି ମଧ୍ୟ ଦୁଇ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଅଗଷ୍ଟ ୧୯ ପର୍ଯ୍ୟନ୍ତ ହିମାଚଳ ବିଶ୍ବବିଦ୍ୟାଳୟ ବନ୍ଦ ଘୋଷଣା କରାଯାଇଛି । ଏନ୍ଡିଆରଏଫ୍, ଏସଡିଆରଏଫ୍ ଏବଂ ସେନା ବାହିନୀ ମିଳିତ ଉଦ୍ଧାର ଅପରେସନ୍ ଜାରି ରଖିଛନ୍ତି । ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ସେନାର ହେଲିକପ୍ଟର। ବେୟସ ନଦୀର ପୋଙ୍ଗ ଡ୍ୟାମ ଠାରେ ତଳିଆ ଅଞ୍ଚଳରୁ ପ୍ରାୟ ୮ଶହ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।