ରାୟଗଡା: କୋରାପୁଟରେ ସ୍ୱାଧୀନତା ଦିବସ ପାଳନ ବେଳେ ଜଣେ ଚାରି ବର୍ଷର ଶିଶୁ କନ୍ୟା ପାରମ୍ପରିକ ଆଦିବାସୀ ପୋଷାକରେ ନିଜ ସାଥୀ ଗ୍ରାମବାସୀଙ୍କ ସମସ୍ୟାକୁ ମଞ୍ଚରେ ବଖାଣୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କଥିତ ଭିଡିଓରେ ଦେଖିବାକୁ ମିଳିଛି ଯେ ସରକାରୀ ଅଧିକାରୀମାନେ କିପରି ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ଏବଂ ପରେ ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି। କୋରାପୁଟ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀ ସୋନାଲି ଦାଶ ଦଶମନ୍ତପୁର ବ୍ଲକର ପ୍ରକୃତ ଚିତ୍ର ବଖାଣୁଥିବା ଦେଖିବାକୁ ମିଳିଛି। ତାଙ୍କ ବ୍ଲକର ଲୋକେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ସେ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳୁଛି।
ଆମ ଗାଁକୁ ରାସ୍ତା ନାହିଁ। ଆମକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆମ ପାଖରେ ପିଇବା ପାଣିର ସୁବିଧା ନାହିଁ। ଆମ ଗାଁରେ ନଳକୂପ ନାହିଁ। ଆମେ ଏକ କୂଅରୁ ପାଣି ସଂଗ୍ରହ କରୁଛୁ। ଯେତେବେଳେ ବି କେହି ଅସୁସ୍ଥ ହୁଅନ୍ତି ଆମେ ତାଙ୍କୁ ଖଟିଆରେ ବୋହି ମେଡିକାଲକୁ ନେଇଥାଉ। ମୋବାଇଲ ଟାଓ୍ୱାର ନଥିବାରୁ ଆମେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରୁ ନାହୁଁ। ଗାଁର ବିକାଶ କଥା କହୁଛନ୍ତି ସରକାରୀ ବାବୁ। କିନ୍ତୁ ଆମ ଗାଁରେ କୌଣସି ବିକାଶ ହୋଇନାହିଁ ବୋଲି ସେ କହିଛନ୍ତି।
ଏହି ଭିଡିଓରେ ଓଡ଼ିଶାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ରଘୁରାମ ପୋଡାଲ ଏବଂ ଜିଲ୍ଲାପାଳ ଅବ୍ଦାଲ ଏମ୍ ଅଖତରଙ୍କ ସମେତ ନିମନ୍ତ୍ରିତ ଅତିଥିମାନେ ହସଖୁସିରେ ଝିଅର ଅଭିନୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ବଡ଼ କଥା ହେଲା ଯେଉଁ ସମସ୍ୟା ଆଜିର ମନ୍ତ୍ରୀ ଓ ସରକାରୀ ବାବୁଙ୍କ ନିକଟରେ ଘଣ୍ଟାଘଣ୍ଟା ଧରି ଧାଡିରେ ଛିଡା ହେବା ସହ ଅନେକ ସୁପାରିସ କରି ଅଭିଯୋଗ ଦେବାକୁ ପଡ଼ିଥାଏ ସେହି କଥାକୁ ସୋନାଲି ବେଶ ନାଚ ଗୀତ ମାଧ୍ୟମରେ କହି ସୋଶିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଛି।
ସ୍ୱାଧୀନତା ଦିବସ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ଆଗରେ ସୋନିଆ ଯେଭଳି ନିଷ୍ଠା ଓ ଆତ୍ମବିଶ୍ୱାସର ସହ ପାଳନ କରିଛନ୍ତି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ପ୍ରଶଂସା କରୁଛନ୍ତି।
Comments are closed.