ବ୍ରାଜିଲ୍: ଜୀବନ୍ତ ମହିଳାଙ୍କୁ କବର ଦେଇଦେଲେ ଲୋକେ । ଦିନେ କି ଦୁଇ ଦିନ ନୁହେଁ ୧୧ ଦିନ ଧରି ସେ କଫିନ ଭିତରେ ଜୀବିତ ଥିଲେ । କଫିନ ଭିତରୁ ବାହାରକୁ ବାହାରିବା ପାଇଁ ସେ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇ୍ଥିଲେ । ଶେଷରେ ତାଙ୍କର କାନ୍ଦ ଶୁଣି ଲୋକମାନେ ତାଙ୍କୁ ୧୧ଦିନ ପରେ କବର ଭିତରୁ ବାହାର କରିଥିଲେ ।
୩୭ ବର୍ଷିୟା ରୋଜାଙ୍ଗେଲା ଆଲମାଇଡା ଡୋସ ସାଣ୍ଟୋସ ନାମକ ମହିଳା ବ୍ରାଜିଲରେ ରୁହନ୍ତି । ସେ ବିବାହିତ ଥିଲେ ହେଲେ ତାଙ୍କର କୌଣସି ସନ୍ତାନ ନ ଥିଲେ । ସାତ ବର୍ଷ ବୟସରୁ ତାଙ୍କର ମୁଣ୍ଡ ବୁଲାଇବା ରୋଗ ଥିଲା । ଏଥିଲାଗି ସେ ନିୟମିତ ଔଷଧ ଖାଉଥିଲେ ମଧ୍ୟ ରୋଗ ଭଲ ହୋଇ ନ ଥିଲା । ଏହି କାରଣରୁ ଦିନେ ସେ ବେହୋସ ହୋଇ ତଳେ ପଡିଗଲେ । ପରେ ତାଙ୍କ ପରିବାର ଲୋକମାନେ ତାଙ୍କୁ ମୃତ ଭାବି ରିଚାଓ ଡାସ ନେଭ୍ସର ଶ୍ମଶାନରେ କବର ଦେଇଥିଲେ । ମହିଳା ଜଣକ ହୋସକୁ ଆସିବା ପରେ କବରରେ ଥିବା ଜାଣିବାକୁ ପାଇଥିଲେ । ସେ କବରରୁ ବାହାରିବା ପାଇଁ ବହୁତ ଚେଷ୍ଟା କରିଥିଲେ, ହେଲେ ବିଫଳ ହୋଇଥିଲେ । କଫିନକୁ ବାଡ଼େଇଥିଲେ ବି କେହି ଶୁଣି ପାରୁ ନ ଥିଲେ । କୌଣସି ଉପାୟ ନ ପାଇ ମହିଳା ଜଣକ କାନ୍ଦିବାକୁ ଲାଗିଥିଲେ ।
ଶ୍ମଶାନ ନିକଟରେ ରହୁଥିବା ଲୋକମାନେ ଶ୍ମଶାନରୁ ପ୍ରତିଦିନ କାହାର କାନ୍ଦ ଶୁଣିବାକୁ ପାଇଥିଲେ, ଯାହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଏଠାକାର ଲୋକେ ଉକ୍ତ ମହିଳାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ କବର ପାଖରେ ପହଞ୍ଚି ଥିଲେ । ସେଠାରୁ କାନ୍ଦ ମଧ୍ୟ ଶୁଣିବାକୁ ପାଇଲେ । ସଙ୍ଗେ ସଙ୍ଗେ କଫିନକୁ ମାଟିତଳୁ ବାହାର କରିଥିଲେ । । ପରେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ । କବର ଭିତରେ ସେ ହାତଗୋଡ ବାଡ଼େଇ ବାହାରିବା ପାଇଁ ଚେଷ୍ଟା କରିଥିଲେ । ଯେଉଁଥିରେ ତାଙ୍କ ହାତଗୋଡ଼ରେ ଆଘାତ ଲାଗିଥିଲା । ମହିଳାଙ୍କୁ କଫିନରୁ ବାହାର କରିବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ, ଉଦ୍ଧାର ହେବାର ଗୋଟିଏ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
Comments are closed.