ଭୁବନେଶ୍ୱର: ବଲିଉଡ ଫିଲ୍ମ ‘ଗଦର-୨’ରେ ଓଡ଼ିଆ ପୁଅଙ୍କ କମାଲ । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ବରୁଣ ବିଷୋୟୀ ସନ୍ନି ଦେଓଲଙ୍କ ଅଭିନୀତ ‘ଗଦର-୨’ ଫିଲ୍ମରେ କାମ କରି ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ଫଲି ଆର୍ଟିଷ୍ଟ ଭାବେ କାମ କରିବାର ସୁଯୋଗ ପାଇଛନ୍ତି । ଏନେଇ ବରୁଣଙ୍କ ପାଖକୁୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛିି ।
ବଲିଉଡ୍ରେ ଜଣେ ସଫଳ ଫଲି ଆର୍ଟିଷ୍ଟ ଭାବେ ଅନେକ ସୁପରହିଟ୍ ଫିଲ୍ମରେ ସେ କାମ କରି ସାରିଛନ୍ତି । ଦାରିଙ୍ଗବାଡ଼ିରୁ ମାୟାନଗରୀ ମୁମ୍ବାଇକୁ ଯାଇ ବଲିଉଡ୍ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ବରୁଣଙ୍କ ପାଇଁ ଏତେଟା ସହଜ ନଥିଲା । ତଥାପି ସେ ପ୍ରତ୍ୟେକଟି ଦୁଃଖ କଷ୍ଟକୁ ସାମ୍ନା କରି ଅନେକ ସଙ୍ଘର୍ଷ ପରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ପିଲାଦିନ ବହୁତ କଷ୍ଟରେ ବିତିଛି । ଅଭାବ ଅନାଟନ ଭିତରେ ଦିନ କଟିଥିଲା । ବିଧବା ମାଆ ଓ ସାନ ଭଉଣୀଙ୍କ ମୁହଁରେ ଦିନକୁ ୨ ଓଳି ଖାଇବା ଯୋଗାଇ ଦେବା ପାଇଁ ସେ ଟେଲରିଂ ଦୋକାନରେ ସିଲେଇ କାମ କରୁଥିଲେ । କିନ୍ତୁ ପରେ ବଲିଉଡ଼ରେ କାମ କରିବା ଲକ୍ଷ୍ୟ ନେଇ ମୁମ୍ବାଇ ଚାଲି ଯାଇଥିଲେ ।
ଏବେ ବଲିଉଡରେ ବରୁଣ ଜଣେ ଜଣାଶୁଣା ଚେହେରା । ପ୍ରାୟ ୨୦ ବର୍ଷ ହେଲାଣି ସେ ବଲିଉଡ଼ରେ ଜଣେ ଫଲି ଆର୍ଟିଷ୍ଟ୍ ବା ଏଡିଟର ଭାବେ କାମ କରି ଆସୁଛନ୍ତି । ଏହା ପୂର୍ବରୁ ‘ବାଜିରାଓ ମସ୍ତାନୀ’, ‘ପିକେ’, ‘ଥୀ ଇଡିଏଟ୍’, ‘ଭାଗ୍ ମିଲଖା ଭାଗ୍’, ‘ଡନ୍ ୨’, ‘ଉରି’, ‘ଅନ୍ଧାଧୁନ୍’, ‘ଟଏଲେଟ ଏକ ପ୍ରେମ କଥା’, ‘ରୁସ୍ତମ୍’ ଓ ‘ପଦ୍ମାବତୀ’ ଭଳି ଅନେକ ହିଟ୍ ଫିଲ୍ମରେ ସେ କାମ କରି ପ୍ରଶଂସିତ ହେବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି । ବରୁଣ, ସିନେମା ଜଗତରେ ସଫଳତା ପାଇବା ପରେ ତାଙ୍କ ମା’ ବେଶ୍ ଖୁସି ।
Comments are closed.