Latest Odisha News

ଏକତା ପାଇବେ ଏମି ପୁରସ୍କାର: ପ୍ରଥମ ଭାରତୀୟ ଟେଲିକାର୍ଯ୍ୟକ୍ରମ ନିର୍ମାତା ଭାବେ ପାଇବେ ଏହି ସମ୍ମାନ

ମୁମ୍ବାଇ: ପ୍ରଥମ ଭାରତୀୟ ଟେଲି କାର୍ଯ୍ୟକ୍ରମ ନିର୍ମାତା ଭାବେ ଏମି ପୁରସ୍କାର ପାଇବେ ଏକତା କପୁର । ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ୫୧ତମ ଏମି ପୁରସ୍କାର ଉତ୍ସବରେ ତାଙ୍କୁ ‘ଇଣ୍ଟରନାସନାଲ୍ ଏମି ଡାଇରେକ୍ଟରେଟ୍‌’ ପୁରସ୍କାର ପ୍ରଦାନ କରାଯିବ । ଭାରତୀୟ ଟେଲିଭିଜନ୍ ଶିଳ୍ପ ପ୍ରତି ଏକତାଙ୍କ ଉଲ୍ଲେଖନୀୟ ଅବଦାନକୁ ବିଚାର କରି ତାଙ୍କୁ ଏହି ପୁରସ୍କାର ଲାଗି ମନୋନୀତ କରାଯାଇଛି । ଏହି ଖବର ପାଇବା ପରେ ଏକତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏମି ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥା ‘ଇଣ୍ଟରନାସନାଲ୍ ଏକାଡେମି ଅଫ୍ ଟେଲିଭିଜନ୍ ଆର୍ଟ୍‌ସ ଆଣ୍ଡ୍ ସାଇନେ୍‌୍ସସ୍‌’ର ଅଧ୍ୟକ୍ଷ ତଥା ସିଇଓ ବ୍ରୁସ୍ ଇ. ପେଜନର କହିଛନ୍ତି ଯେ, ଏକତା କପୂର ତାଙ୍କର ପ୍ରଯୋଜନା ସଂସ୍ଥା ବାଲାଜି ଟେଲିଫିଲ୍ମ ଲି.କୁ ଭାରତର ଏକ ପ୍ରମୁଖ ମନୋରଞ୍ଜନକାରୀ ଭାବେ ଗଢ଼ିପାରିଛନ୍ତି । ଯାହା ତାଙ୍କର ଧାରାବାହିକ ଏବଂ ଓଟିଟି ମଞ୍ଚ ମାଧ୍ୟମରେ ଭାରତ ଓ ଦକ୍ଷିଣ ଏସିଆରେ ଦର୍ଶକଙ୍କ ପାଖରେ ପହଞ୍ଚିପାରିଛି ।

ଏନେଇ ଏକତା କହିଛନ୍ତି, ଏହି ସମ୍ମାନଜନକ ମଞ୍ଚ ମାଧ୍ୟମରେ ବିଶ୍ୱସ୍ତରରେ ମୋ’ ଦେଶକୁ ପ୍ରତିନିଧିତ୍ୱ କରିବା ଏକ ଅବିଶ୍ୱସନୀୟ ସମ୍ମାନ । ବିଶେଷ କରି ମହିଳାମାନଙ୍କ ପାଇଁ କାହାଣୀ ନିର୍ମାଣ କରୁଥିବା ଜଣେ ମହିଳା ଭାବରେ ମୋର ପରିଚୟକୁ ଆବିଷ୍କାର କରିବାରେ ଟେଲିଭିଜନର ନିର୍ଣ୍ଣାୟକ ଭୂମିକା ରହିଛି । ଏହି ପୁରସ୍କାର ମୋତେ ଓ ଆମର ମିଳିତ ସଫଳତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଛି ।

ଏକତାଙ୍କ ଏହି ସଂସ୍ଥା ‘କ୍ୟୁଁକି ସାସ୍ ଭି କଭି ବହୂ ଥି’, ‘କାହାନି ଘର ଘର କି’, ‘କୁସୁମ’ ଓ ‘କସୌଟି ଜିନ୍ଦଗି କେ’ ପରି ଲୋକପ୍ରିୟ ଧାରାବାହିକ ସମେତ ଦୀର୍ଘ ୧୭ ହଜାର ଘଣ୍ଟାର ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଯୋଜନା କରିସାରିଛି । ଏକତା ଫର୍ଚ୍ୟୁନ୍ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଏସିଆର ସବୁଠାରୁ ଶକ୍ତିଶାଳୀ ୫୦ଜଣ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ତା’ ସହିତ ସେ ଭାରତୀୟ ଟେଲିଭିଜନ ଶିଳ୍ପର ଏକମାତ୍ର ମହିଳା ଭାବେ ‘ଭେରାଇଟି ୫୦୦’ ତାଲିକାରେ ରହିବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି ।

Comments are closed.