ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଭିଏଁ ଏଠି ସର୍ବଜାଣ
କେହି ଖୋଜନି କାହା ଖୁଣ
ନ ହୋଇ ତର୍କପରାୟଣ
ଜଣାଇଦିଅ ଯାହା ଜାଣ
ଅସଂଖ୍ୟ ଅଭ୍ୟାସର ଦାସ
ଅତୀତ କାଳେ କରି ବାସ
ପାଆଂତି ଅପୂର୍ବ ଉଲ୍ଲାସ
ମନରେ ଜନ୍ମେନି ସାହସ
ପୂର୍ବରୁ କେଉଁ କବି କ’ଣ
ଲେଖିଲେ, ତାହା ହିଁ ସ୍ମରଣ
କରି ଲେଖଂତି ପୁନର୍ବାର
ହୁଏନି କାହା ଉପକାର
ଶୈଳୀ କି ଭାବ ଅଭିନବ
ନ ହେଲେ, ଇଚ୍ଛିତ ଗୌରବ
କିଏ କିପାଇଁ ତାଂକୁ ଦେବ ?
ଏ କଥା ମନେ ମନେ ଭାବ
ଲେଖକେ ହେଲେ ଲେଖାକ୍ରାଂତ
ହୁଅଂତି ଆପେ ଆପେ ଭ୍ରାଂତ
ନିଜେ ନ ହେଲେ ନିଜ ଭଳି
ବ୍ୟକ୍ତିତ୍ୱ ପଡ଼ିଥାଏ ଟଳି
ବଂଚିରହଂତି ବର୍ତମାନ
ଅତୀତାଚ୍ଛନ୍ନ କରି ମନ
ତାଂକର ନିତ୍ୟ ଉତ୍ପାଦନ
ହୁଏ ଅସାର ଅବଦାନ
ନିଷ୍ଠାମିଶା ଚେଷ୍ଟା , ବିଶ୍ବାସ
ଭାଷାକୁ ଦିଏ ଦୀର୍ଘାୟୁଷ
କେବଳ ନାମ, ଯଶ ପାଇଁ
ଲେଖିଲେ କିଛି ହୁଏନାହିଁ
କରିଲେ ବେଶି ଆଲୋଚନା
ସମସ୍ୟା ସମାପ୍ତ ହୁଏନା
ଭାଷାକୁ ବେଶି କହି, ଲେଖି
ପାରିବା ଉପରକୁ ଟେକି
ଭାଷା ତ ପ୍ରୟୋଗ-ନିର୍ଭର
ଏହାକୁ କରିଲେ ସ୍ବୀକାର
ଭାଷାଟେ ଚଳେ ବିଶ୍ବବ୍ୟାପୀ
ଅନ୍ୟ ସବୁ ଭାଷାଂକୁ ଟପି
Comments are closed.