ଭୁବନେଶ୍ୱର: ଅନୁସୂଚତି ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଆଜି ସହଭାଗୀ ରୂପେ ଅଭିଭାବକ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରାୟ ୧୭ଟି ଜିଲ୍ଲାର ୨୨୯ଟି ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଚଳିତ ମାସ ୬ଦିନ ଯଥା ସେପ୍ଟେମ୍ୱର ୮, ୧୩, ୧୬, ୨୨, ୨୫ ଓ ୨୬ ତାରିଖରେ ଏହି କାର୍ଯ୍ୟକ୍ରମ ସମଗ୍ର ରାଜ୍ୟର ୧୭୭୮ ଟି ଅନୁଷ୍ଠାନରେ ଆୟୋଜନ କରାଯିବ। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏସଟି-ଏସସି ଛାତ୍ରଛାତ୍ରୀଙ୍କ ପିତା-ମାତାଙ୍କୁ ସ୍କୁଲ ସହ ଯୋଡିବା। ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ପାଠ୍ୟକ୍ରମ, ସହାୟତା ରାଶି, ଛାତ୍ରବୃତ୍ତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରାଇବା। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ଅଧିକରୁ ଅଧିକ ସାମିଲ କରିବା ପାଇଁ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି।
ଆଜିର କାର୍ଯ୍ୟକ୍ରମରେ ଭାଗ ନେଇଥିବା ଅଭିଭାବକ ଓ ଅଂଶଗ୍ରହଣକାରୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ସୂଚନା ଦିଆଯାଇଥିଲା। ପଞ୍ଚାୟତରାଜ ଏବଂ ପାନୀୟ ଜଳ, କୃଷି ଓ କୃଷକ ସଶକ୍ତିକରଣ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ଭଳି ଅନେକ ବିଭାଗ ସ୍କୁଲ ପ୍ରାଙ୍ଗଣରେ ନିଜ ନିଜ ଷ୍ଟଲ ନିର୍ମାଣ କରି ଅଭିଭାବକମାନଙ୍କୁ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ। ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ରଙ୍ଗୋଲି ଭଳି ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକାୟିତ କଳାକୁ ସାମ୍ନାକୁ ଆଣିବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଅଭିଭାବକମାନଙ୍କୁ ବିଦ୍ୟାଳୟ ଏବଂ ହଷ୍ଟେଲ ଗୁଡିକର କାର୍ଯ୍ୟକାରିତା ଉପରେ ସେମାନଙ୍କର ମତାମତ ଦେବା ପାଇଁ କୁହାଯାଇଥିଲା। ଏହାସହ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଅଭିଭାବକମାନେ ପ୍ରତିକ୍ରିୟା ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମ ସମସ୍ତ ଏସଟି-ଏସି ବିଦ୍ୟାଳୟ, ହଷ୍ଟେଲ ସମେତ ଅନ୍ୱେଶା (ANWESHA), କୋଣ୍ଡା ରେଡ୍ଡୀ ହଷ୍ଟେଲ ଓ ନବ ଭାରତ ହଷ୍ଟେଲରେ ମଧ୍ୟ ଆୟୋଜନ କରାଯିବ। ଜିଲ୍ଲାପାଳ କାର୍ଯ୍ୟକ୍ରମର ତଦାରଖ କରିବା ସହ ସିଡିଓ, ଜିଲ୍ଲା ପରିଷଦ, ଉପଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବେ।
Comments are closed.