ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱର କମିଶନରଙ୍କ କାର୍ଯ୍ୟାଳୟଠାରେ ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵର-କଟକ ଦୈତ ନଗରୀର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ଵର ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ମେଳା ଅନୁଷ୍ଠିତ ହୋଇଛି। ଭୁବନେଶ୍ଵରର ବିଭିନ୍ନ ଥାନା ତଥା ପିଓପିଡି, ଟୀମ-୬୦ ଏବଂ ଓସିପିଓ ସେଲର ମିଳିତ ପ୍ରୟାସରେ ଚୋରି/ ଲୁଟ କିମ୍ବା ହଜିଯାଇଥିବା ସମୁଦାୟ ୧୯୪ଟି ଉଦ୍ଧାର କରାଯାଇଥିବା ମୋବାଇଲକୁ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ପ୍ରତୀକ ସିଂହ ଏହି ମେଳାରେ ସେମାନଙ୍କର ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରିଥିଲେ।
ଉଦ୍ଧାର ହୋଇଥିବା ମୋବାଇଲ ଗୁଡିକ ମଧ୍ୟରୁ ଓସିପିଓ ସେଲ ଦ୍ଵାରା ସର୍ବାଧିକ ୧୦୦ଟି ମୋବାଇଲ ଫୋନ ଉଦ୍ଧାର ହୋଇଥିବା ବେଳେ ଶହୀଦନଗର ଥାନା ଦ୍ଵାରା ମୋଟ ୩୦ଟି ମୋବାଇଲ ଫୋନ ଉଦ୍ଧାର ହୋଇଥିଲା। ଏହି ମୋବାଇଲ ଗୁଡିକର ପ୍ରକୃତ ମାଲିକାନା ଯାଞ୍ଚ ପରେ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଯୋଗାଯୋଗ କରାଯିବା ସହ ଆଜି ଏକ ମେଳା ଅନୁଷ୍ଠିତ କରାଯାଇ ଉକ୍ତ ମୋବାଇଲ ଗୁଡିକୁ ହସ୍ତାନ୍ତର କରାଯାଇଥିଲା।
ଉଲ୍ଲେଖ ଯୋଗ୍ୟ ଯେ, ଗତ ବର୍ଷ ୨୦୨୨ ମସିହାରେ ପୋଲିସ ବିଭାଗର କର୍ମତତ୍ପରତା ଓ ତ୍ଵରିତ ପଦକ୍ଷେପ ଯୋଗୁଁ ମୋଟ ୧୪୩୪ଟି ମୋବାଇଲ ଫୋନ ଉଦ୍ଧାର କରାଯାଇଥିବା ବେଳେ ମୋଟ ୧୨୫୦ଟି ରୁ ଅଧିକ ମୋବାଇଲ ଫୋନ ସେମାନଙ୍କ ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇ ପାରିଥିଲା। ସେହିପରି ଚଳିତ ବର୍ଷ ମଧ୍ୟ ଏଯାବତ ମୋଟ ୬୦୧ଟି ମୋବାଇଲ ଫୋନ ଉଦ୍ଧାର କରାଯାଇଥିବା ବେଳେ ମୋଟ ୫୫୨ଟି ମୋବାଇଲ ଫୋନ ସେମାନଙ୍କ ପ୍ରକୃତ ମାଲିକମାନଙ୍କୁ ଫେରସ୍ତ ଦିଆଯାଇଛି।


Comments are closed.