ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
‘ ସ୍ବନାମଧନ୍ୟ ‘ ବହୁ କବି
ଏବେ ଗଲେଣି ପୂରା ଦବି
‘ ଆଂତର୍ଜାତିକ ଖ୍ୟାତିପ୍ରାପ୍ତ ‘
ଲେଖକେ ହେଲେଣି ବିସ୍ମୃତ
‘ ଯଶସ୍ବୀ ସମାଦୃତ ‘ ଲୋକ
‘ ପ୍ରତିଭାସଂପନ୍ନ ଲେଖକ ‘
ଗଲେଣି କେତେ କାହିଁ ହଜି
କେହି ପାଉନୁ ତାଂକୁ ଖୋଜି
ନାମ ପୂର୍ବରୁ ବିଶେଷଣ
ଯୋଡ଼ିବା ଅଟେ ଅକାରଣ
ତେବେ ବି ଏଠି ଚାଟୁକାର
କରଂତି ନିତି ବ୍ୟବହାର
ପ୍ରସିଦ୍ଧି-ଲାଳସୀ ଲେଖକ
ହୋଇଯାଆଂତି ଆପେ ଯୋକ
ସମ୍ମାନଦାତାଂକୁ ସଂତୁଷ୍ଟ
କରି ହୁଅଂତି ନିଜେ ଭ୍ରଷ୍ଟ
ମାନପତ୍ର ଓ ଉତ୍ତରୀୟ
କରଂତି ସେ ସବୁ ସଂଚୟ
ଘର କାଂଥରେ ପ୍ରଦର୍ଶନ
କରଂତି ବାଛି ଯଥାସ୍ଥାନ
ଦେଖି ନିଜ ମୁହଁର ଛବି
ସୁଖୀ ହେଉଛି ଯେଉଁ କବି
ଅତ୍ୟଂତ ପ୍ରଶଂସା-ଲାଳସୀ
ହୋଇ କବିତ୍ବ ପାରେ ନାଶି
ସମ୍ମାନ ପ୍ରାପ୍ତି ପାଇଁ ‘ ପ୍ରାର୍ଥୀ ‘
ହେବାର ଅଭିନବ ରୀତି
ଏବେ ହେବାରୁ ପ୍ରଚଳିତ
ସାହିତ୍ଯ ହୋଇବ ସ୍ଖଳିତ
ଲୋକଂକୁ ନ କଲେ ସଂପୃକ୍ତ
ହୋଇପାରେନି ଲୋକହିତ
ରାଜ୍ୟର ପ୍ରଶାସକଗଣ
ହୋଇଗଲେ ଦାୟିତ୍ୱହୀନ
ସୂତ୍ରାଦି ହେଲେ ବି ଲିଖିତ
ଲେଖକେ ଅଭ୍ୟାସବଶତଃ
ତ୍ରୁଟି କରୁଥାଆଂତି ନିତି
କିପରି ଘଟିବ ଉନ୍ନତି?
ବିସ୍ମୟକାରୀ ଏ ବ୍ୟବସ୍ଥା
ଡାକିଆଣୁଛି ଦୁରବସ୍ଥା
କେହି ବୁଝୁନି କାହା କଥା
ତେଣୁ ବ୍ୟାପିବ ନିରବତା
କଥାବାର୍ତା ଓ ଲେଖାଲେଖି
ନ ହେଲେ ଭାଷା ଚଳିବ କି ?
ନାହିଁ ଏ ପ୍ରଶ୍ନର ଉତ୍ତର
ଅଲୋଡ଼ା ସବୁ ପୁରସ୍କାର
Comments are closed.