Latest Odisha News

ଚୋରି ମୋବାଇଲ୍ ଭାଗବଣ୍ଟା ବେଳେ ପାଟିତୁଣ୍ଡ, ଜଣେ ନାବାଳକର ମୃତ୍ୟୁ

ସମ୍ବଲପୁର: ଚୋରି ମୋବାଇଲ ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷରୁ ଜଣେ ନାବାଳକର ମୃତ୍ୟୁ ହୋଇଛି। ମଙ୍ଗଳବାର ସମ୍ବଲପୁର ସହରରେ ଚୋରି ମୋବାଇଲ ବାଣ୍ଟିବାକୁ ନେଇ ବିବାଦ ଦେଖାଦେବା ପରେ ଏକ ମୋବାଇଲ୍ ଚୋର ଗ୍ୟାଙ୍ଗ୍ ଜଣେ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ନାବାଳକ ସମେତ ଏହି ଗ୍ୟାଙ୍ଗର ସଦସ୍ୟମାନେ ସହରର ବିଭିନ୍ନ ସ୍ଥାନରୁ ମୋବାଇଲ୍ ଫୋନ୍ ଚୋରି କରୁଥିଲେ। ପରେ ସେହି ଚୋରି ମୋବାଇଲ ପରସ୍ପର ମଧ୍ୟରେ ବାଣ୍ଟିବା ପାଇଁ ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରାଜା ଅଞ୍ଚଳର କରମତୁଳିଠାରେ ଏକାଠି ହୋଇଥିଲେ।

ଏହି ଭାଗବଣ୍ଟାକୁ ନେଇ ଆଲୋଚନା ଚାଲିଥିବା ବେଳେ ସେହି ଅଞ୍ଚଳର ଦେବା ଜମାଦଲିଆ ନାମକ ନାବାଳକ ନିଜ ଭାଗ ପାଇଁ ଅଧିକ ଟଙ୍କା ଦାବି କରିଥିବା ଜଣାପଡ଼ିଛି। ଏହାକୁ ନେଇ ତାଙ୍କ ସହ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଦେବାର ଦାବିରେ ଉତ୍ତ୍ୟକ୍ତ ହୋଇ ଅନ୍ୟମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଦେବା ବେହୋସ ହୋଇ ତଳେ ପଡ଼ିଯିବାରୁ ଅନ୍ୟମାନେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୁଲିସକୁ ଖବର ଦେଇଥିଲେ।

ଅଇଁଠାପାଲି ଥାନା ପୁଲିସର ଏକ ଟିମ୍ ଡାକ୍ତରଖାନାରେ ପହଞ୍ଚିବା ପରେ ଗ୍ୟାଙ୍ଗର ସଦସ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପୁଲିସ ସେମାନଙ୍କୁ ଖୋଜିବା ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପରେ ଏହି ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ସହରରୁ ଗିରଫ କରାଯାଇ ପଚରାଉଚରା ପାଇଁ ଅଟକ ରଖାଯାଇଥିବା ସୂଚନା ରହିଛି।

Comments are closed.