ଭୁବନେଶ୍ୱର: ସମସ୍ତ ଶୁଭ କାର୍ଯ୍ୟ ପାଇଁ ଆମେ କୁମ୍ଭକାରଙ୍କ ଉପରେ ନିର୍ଭର କରିଥାଉ, ହେଲେ ଆଜି ସେମାନେ ତାଙ୍କର କୌଳିକ ବୃତ୍ତିକୁ ନେଇ ସନ୍ଦିହାନ। ଦେଶର ଅନ୍ୟ ରାଜ୍ୟମାନଙ୍କରେ କୌଳିକ ବୃତ୍ତି କରି ଜୀବିକା ନିର୍ବାହ କରୁଥିବା କୁମ୍ଭକାର ଭାଇ ଓ ଭଉଣୀମାନଙ୍କୁ ସହଯୋଗ ଓ ପ୍ରୋତ୍ସାହନ ଦେବା ପାଇଁ ‘ମାଟିକଳା ବୋର୍ଡ’ ଗଠନ କରାଯାଇଥିଲେ ମଧ୍ୟ ଓଡ଼ିଶାରେ ୨୪ବର୍ଷର ବିଜେଡି ସରକାର ଏଥିପାଇଁ କୌଣସି ଆନ୍ତରିକତା ପ୍ରଦର୍ଶନ କରୁନାହାଁନ୍ତି। ଏପରିକି କୁମ୍ଭକାର ଭାଇ-ଭଉଣୀଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି କର୍ଣ୍ଣପାତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟରେ ଯେଉଁ ଗାଁ ମାନଙ୍କରେ କୁମ୍ଭାର ଭାଇମାନେ ରହୁଛନ୍ତି ତାଙ୍କର କୌଳିକ ବୃତ୍ତିଗତ କାର୍ଯ୍ୟ ପାଇଁ ସରକାରଙ୍କର କିଛି ଜାଗା ବ୍ୟବହାର କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।
ସବୁଠୁ ବଡ଼ କଥା ହେଲା ବଜାର ବ୍ୟବସ୍ଥା, ସରକାରୀ ସହଯୋଗ ନପାଇଲେ ଏହି ବ୍ୟବସ୍ଥା କରାଯାଇ ପାରିବନାହିଁ। ଶେଷରେ ଏହି କୌଳିକ ବୃତ୍ତି ଏବଂ ଏହା ଉପରେ ନିର୍ଭର କରୁଥିବା କୁମ୍ଭକାର ଭାଇ-ଭଉଣୀଙ୍କ ଭବିଷ୍ୟତ ଅନ୍ଧକାର ହେବା ସୁନିଶ୍ଚିତ। କେବଳ ନିର୍ବାଚନ ସମୟରେ କିଛି ଥୋପ ଦେବା ବ୍ୟତୀତ ରାଜ୍ୟ ସରକାର ସ୍ଥାୟୀ ସମାଧାନ ଚାହୁଁନାହାଁନ୍ତି। ଆଜି ଧାରଣା ଦେଉଥିବା କୁମ୍ଭକାର ଭାଇ-ଭଉଣୀଙ୍କ ଦାବି ପ୍ରତି ଭାରତୀୟ ଜନତା ପାର୍ଟୀର ସଂପୂର୍ଣ୍ଣ ସମର୍ଥନ ରହିଛି ଏବଂ ରାଜ୍ୟ ସରକାର ଏ ସମସ୍ତ ଦାବିଗୁଡିକର ସମାଧାନ କରିବା ଉଚିତ୍ । ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ଗଭୀର ଅନୁଧ୍ୟାନ କରି ଏକ ବିଶ୍ୱକର୍ମା ଯୋଜନା ଆଣିଛନ୍ତି ଯେଉଁଥିରେ କୁମ୍ଭକାର ଭାଇମାନେ ସମ୍ପୂର୍ଣ୍ଣ ଉପକୃତ ହେବେ।
ଆଜି ବିଧାନସଭା ସମ୍ମୁଖରେ କୁମ୍ଭକାରମାନଙ୍କ ବିକ୍ଷୋଭ ସମାବେଶରେ ଯୋଗଦେଇ ରାଜ୍ୟ ବିଜେପି ବିଧାୟକ ଓ ନେତୃବୃନ୍ଦମାନେ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ସହ ବିଧାନସଭାରେ ସେମାନଙ୍କ ପ୍ରସଙ୍ଗ ଉପସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ମୁକେଶ ମହାଲିଙ୍ଗ୍, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଦୁର୍ଗା ପ୍ରସନ୍ନ ନାୟକ, ବିବେକାନନ୍ଦ ଜେନା, ସନ୍ତୋଷ ମହାପାତ୍ର ଓ ଲିଙ୍ଗରାଜ ବାରିକ ପ୍ରମୁଖ ସାମିଲ ହୋଇଥିଲେ।
Comments are closed.