ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ରିଞ୍ଜିତାଲ ଗାଁରେ ଇଡିତାଲ ଚିତ୍ରକଳା ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିର ଗତ ସେପ୍ଟେମ୍ବର ୯ ତାରିଖରୁ ଲାଞ୍ଜିଆ ସୌରା ଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ଆଦିବାସୀ ଚିତ୍ରକଳା ରିଜିଂତାଲ ଓ ଆଖପାଖ ଅଞ୍ଚଳର ୫୨ଜଣ କଳାକାର ଏହି ଶିବିରରେ ଯୋଗଦେଇ ଗାଁର ପ୍ରତି ଘରେ ଇଡିତାଲ ଚିତ୍ର ଆଙ୍କିଥିଲେ । ଆଜିର ଉଦଯାପନୀ ଉତ୍ସବରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ତଥା ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏବଂ କଳାକାର ମାନଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ।
ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନ , ପୁଟାସିଂ ସରପଞ୍ଚ ପ୍ରମୂଖ ଏହି ଶିବିରରେ ସମ୍ମାନିତ ଅତିଥି ଭାବେ ସାମିଲ ହୋଇଥିଲେ । ବାଲୁକା ଶିଳ୍ପୀ ଶ୍ରୀ ପଟ୍ଟନାୟକ କହିଥିଲେ ଇଡ଼ିତାଲ କଳାକୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ କଳାକାର ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରିବା ନିହାତି ଆବଶ୍ୟକ । ଏ ନେଇ ଆଗାମୀ ଦିନରେ ରିଞ୍ଜିତାଲ ଗାଁରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ନୂତନ କଳାକାର ସୃଷ୍ଟି କରାଯିବ । ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଅଧ୍ୟକ୍ଷତା କରିଥିବା ବେଳେ ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ସଂଯୋଜନା କରିଥିଲେ ।
Comments are closed.