ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର (ଗୃହ ଅର୍ଥନୀତି ତାଲିମ କେନ୍ଦ୍ର) ରେ ଅନୁଷ୍ଠିତ ବୈଠକ। ଏହି ବୈଠକରେ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ସହ ମହିଳା ଓ ଶିଶୁ ବିକାଶ ବିଭାଗର ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ମହିଳାଙ୍କ ଦକ୍ଷତା ବିକାଶରେ ଯୋଡ଼ା ହେଲା ନୂଆ ଫର୍ଦ୍ଦ। ଓଡ଼ିଶା ସରକାର ମହିଳାମାନଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ କାର୍ଯ୍ୟ କରିବାର ସୁଯୋଗ ଦେବା ସହ ନିଷ୍ପତ୍ତି ନେବା ପକ୍ରିୟାରେ ମଧ୍ୟ ସାମିଲ କରୁଛନ୍ତି। ମହିଳାମାନଙ୍କ ଅଧିକାରକୁ ସମ୍ମାନ ଜଣାଇ ରାଜ୍ୟର ଗଠନ ମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ନିଯୋଜିତ କରାଯାଉଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମତବ୍ୟକ୍ତ କରିଛନ୍ତି।
ଏହି ବୈଠକରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବର୍ତ୍ତମାନର ଯାନ୍ତ୍ରୀକ ଓ ବୈଷୟିକ ତାଲିମ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ, ଗୋପବନ୍ଧୁ ପ୍ରଶାସନିକ ଏକାଡେମି ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ମିଳିତ ସହଯୋଗରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରି ଗୁଣାତ୍ମକ ଶିକ୍ଷା ଓ ତାଲିମ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସ୍ଥିର କରାଯାଇଛି କହିଛନ୍ତି ବାସନ୍ତୀ ହେମ୍ବ୍ରମ ।
ମନ୍ତ୍ରୀ ହେମ୍ବ୍ରମଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷିକା ଏସ. ଜାଗୃତି ଓ ଗୋପବନ୍ଧୁ ପ୍ରଶାସନିକ ଏକାମେୀର ସ୍ୱତନ୍ତ୍ର ସଚିବ ତଥା ଅତିରିକ୍ତ ନିର୍ଦ୍ଦେଶକ ଆରାଧନା ଦାସ ଓ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ଅତିରିକ୍ତ ସଚିବ ଧରଣୀଧର ନନ୍ଦ ଏହି ବୁଝାମୁଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ର ଉପରେ ଆଧାରିତ ଏକ ଭିଡ଼ିଓ ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ସହ ଯୋଡି ହବା ଆମ ପାଇଁ ଏକ ଗୌରବର ବିଷୟ। ଏହି ବୁଝାମଣା ସ୍ୱାକ୍ଷର ହେବା ଦ୍ୱାରା ରାଜ୍ୟର ମହିଳାମାନଙ୍କର ପ୍ରଶାସନିକ ଦକ୍ଷତା ସହ ବୃତ୍ତିଗତ ମନୋଭାବ ମଧ୍ୟ ସଶକ୍ତ ହେଇପାରିବ। ମହିଳା ଓ ଶିଶୁ ବିକାଶ ତାଲିମ କେନ୍ଦ୍ରକୁ ରାଜ୍ୟର ଏକ ଉତ୍କର୍ଷ ତାଲିମ କେନ୍ଦ୍ରରେ ରୂପାନ୍ତରିତ କରିବା ଦ୍ୱାରା ଅଙ୍ଗନବାଡି କର୍ମୀମାନେ ବିଷୟ ବିଶେଷଜ୍ଞ ଓ ଦକ୍ଷ ପ୍ରଶାସକ ଦ୍ୱାରା ତାଲିମ ପାଇପାରିବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ମତ ପ୍ରକାଶ କରିଛନ୍ତି।
Comments are closed.