Latest Odisha News

ବିଶ୍ୱକପ ଉଦଘାଟନୀ ମୁକାବିଲାରେ କନୱେ, ରବୀନ୍ଦ୍ରଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ

ଅହମ୍ମଦାବାଦ: ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୩ ଉଦଘାଟନୀ ମୁକାବିଲାରେ ନ୍ୟୁଜିଲାଣ୍ଡ ଡେଭନ କନୱେ ଓ ରଚିନ ରବୀନ୍ଦ୍ରଙ୍କ ଅପରାଜିତ ଶତକ ବଳରେ ୯ ୱିକେଟରେ ଚାମ୍ପିୟନ ଇଂଲଣ୍ଡକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୮୩ ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଥିଲା । ମାଟ୍ଟ ହେନରୀ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜୋ ରୁଟ ୭୭ ରନର ଚମକପ୍ରଦ ଇନିଂସ ଖେଳିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ଏହି ଲକ୍ଷ୍ୟକୁ ୩୬.୨ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଥିଲା । ୱିଲି ୟଙ୍ଗ ଖାତା ନ ଖୋଲିପାରି ପ୍ୟାଭିଲିୟନ ଫେରି ଯାଇଥିଲେ । ଏହା ପରେ କନୱେ ଓ ରବୀନ୍ଦ୍ର ଇନିଂସ ସମ୍ଭାଳିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ଇଂଲଣ୍ଡ ବୋଲରଙ୍କ ବିପକ୍ଷରେ ସହଜ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । କନୱେ ୧୨୧ ବଲରେ ୧୯ ଚୌକା ଓ ୩ଛକା ବଳରେ ୧୫୨ ଓ ରବୀନ୍ଦ୍ର ୯୬ ବଲରେ ୧୧ ଚୌକା ଓ ୫ଛକା ସହାୟତାରେ ୧୨୩ ରନ କରିଥିଲେ ।

ଉଭୟ ଖେଳାଳି ଦ୍ୱିତୀୟ ୱିକେଟରେ ୨୬୧ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଏହା ସର୍ବାଧିକ ପାର୍ଟନରଶିପ । ରବୀନ୍ଦ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଅପରପକ୍ଷରେ ଇଂଲଣ୍ଡ ଆଜି ଏକ ବିଶ୍ୱରେକର୍ଡ ସ୍ଥାପନ କରିଛି । ଦିନିକିଆ କ୍ରିକେଟରେ ପ୍ରଥମ ଟିମ ଭାବେ ଏହାର ପ୍ରଥମରୁ ଶେଷ ବ୍ୟାଟ୍ସମ୍ୟାନ ପର୍ଯ୍ୟନ୍ତ ସମସ୍ତେ ଦୁଇ ଅଙ୍କ ଛୁଇଁ ଥିଲେ । ଏହା ପୂର୍ବରୁ ଅନ୍ୟ କୌଣସି ଟିମ ଏ ଭଳି ବ୍ୟାଟିଂ ପ୍ରଦର୍ଶନ କରିପାରି ନ ଥିଲେ ।

Comments are closed.