ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଜଣେ ଅପରଠାରୁ ଭିନ୍ନ
ହେବାରୁ ପ୍ରତ୍ୟେକେ ଅନନ୍ୟ
ହୋଇ ରହଂତି ଏଠି ଜିଇଁ
ଏହାକୁ ବିରୋଧ କିପାଇଁ ?
ସର୍ବେ ହୋଇବେ ସର୍ବସମ
ଏ ଚିଂତା ନୁହଇ ଉତ୍ତମ
ସମତା ସାଧନ ଉଦ୍ୟମ
ହୁଏ ନିଷ୍ଫଳା ପରିଶ୍ରମ
ନିଜ ମନକୁ ଖଂଡ ଖଂଡ
କରିବା ଭଳି ମହା ଦଂଡ
ଯିଏ ନିଜକୁ ଦେଇଥାଏ
ସିଏ ହିଁ ପ୍ରତିକ୍ରିୟା ଦିଏ
ପ୍ରତିକ୍ରିୟା ଯେଣୁ ନିଷ୍ଫଳ
ଚିଂତକକୁ କରେ ଦୁର୍ବଳ
କ୍ରିୟାଶୀଳ ପାଏ ଆନଂଦ
ପ୍ରତିକ୍ରିୟା ବଢ଼ାଏ ଦ୍ବଂଦ୍ବ
ବଦଳେ କାଳ ଆଉ ସ୍ଥଳ
ସତ୍ୟ ପରିବର୍ତନଶୀଳ
ବ୍ୟକ୍ତିର ମନୋଭାବ ଜାଣି
ବିବିଧ ରୂପ ଧରେ ପୁଣି
ନୁହେ ନିଶ୍ଚିତ, ନାହିଁ ଅଂତ
ସଂଧାନ ପାଇବା ପର୍ଯଂତ
ସତ୍ୟର ସ୍ରୋତ ଅବିରତ
ମନରେ ହୁଏ ପ୍ରବାହିତ
ସ୍ରୋତର କୂଳରେ ଅଟକି
‘ ଏହା ସତ୍ୟ ‘ ଦେଲେ ବି ଲେଖି
ତାହା ସତେ ସତ୍ୟ ହୁଏ କି ?
ବିଚାର କରଂତୁ ବିବେକୀ
ତଥ୍ୟ ନ କଲେ ବିଶ୍ଳେଷଣ
ମିଳେନି ସତ୍ୟର ସଂଧାନ
ବିଶ୍ବାସ, ଧାରଣା ଆଚ୍ଛନ୍ନ
ହେଲେ ମିଳେନି ସତ୍ୟ ଜ୍ଞାନ
Comments are closed.