Latest Odisha News

BREAKING NEWS

5ଟି ସଚିବ ଭି.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭେ.କେ ପାଣ୍ଡିଆନ ସ୍ବେଚ୍ଛାକୃତ ଭାବେ ଅବସର ନେଇଛନ୍ତି। ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ବୋଲି ସୋମବାର ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଭି.କେ ପାଣ୍ଡିଆନ ଗତ କିଛି ମାସ ଧରି ସାରା ରାଜ୍ୟରେ ଘୂରି ବୁଲୁଥିବା ବେଳେ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଅନୁରୋଧ କରିଥିଲେ। ଏବେ ତାଙ୍କ ଅନୁରୋଧକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି।

2000 ବ୍ୟାଚର ଆଇଏଏସ ଅଫିସର ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସରକୁ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ଅନୁମୋଦନ କରିଛି।

ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଉପ ଜିଲ୍ଲାପାଳ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ମୟୂରଭଞ୍ଜ ଓ ଗଂଜାମର ଜିଲ୍ଲପାଳ ହୋଇଥିଲେ। ପରେ 2011ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ବ ଗ୍ରହଣ କରିଥିଲେ। 2019ରେ 5ଟି ସଚିବ ହୋଇଥିଲେ।

ବିରୋଧୀ ବିଜେପି ଏବଂ କଂଗ୍ରେସ ସଚିବ ଶାସକ ଦଳ ସହ ସିଧାସଳଖ ସଂପୃକ୍ତି ରଖୁଥିବା ନେଇ ଅଭିଯୋଗ ଆଣିଥିଲେ। ଏହା ଆଇଏଏସ ରୁଲ୍ ବାହାର ବୋଲି ଅଭିଯୋଗ କରିଥିଲେ। ଏ ନେଇ ବିଜେପି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟକୁ ଅବଗତ କରାଇଥିଲା। ଏହାପରେ ବିଭିନ୍ନ ସମୟରେ ବିରୋଧୀ ଆହ୍ବାନ କରିଥିଲେ ଯେ ସଚିବ ଯଦି ରାଜନୀତି କରିବାକୁ ଚାହୁଁଛନ୍ତି ସେଥିରେ କୌଣସି ଆପତ୍ତି ନାହିଁ ହେଲେ ସେ ଆଇଏଏସ ଚାକିରିରୁ ଅବସର ଗ୍ରହଣ କରିବା ଆବଶ୍ୟକ।

ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ରହିଛି। ସରକାରୀ ଚାକିରି କରିଥିଲେ ମଧ୍ୟ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ବୋଲି ଦାବି କରାଯାଏ। ତେଣୁ ପାଣ୍ଡିଆନଙ୍କ ଆଗାମୀ ଦିନରେ କେଉଁ ଭୂମିକାରେ ନଜର ଆସିବେ ତାହା ଏବେ ଚର୍ଚ୍ଚାର ବିଷୟ।

ଉଲ୍ଲେଖଯୋଗ୍ୟ, ଭି.କେ ପାଣ୍ଡିଆନଙ୍କ  ପତ୍ନୀ ସୁଜାତା କାର୍ତ୍ତିକେୟନ ମଧ୍ୟ ଜଣେ ଆଇଏଏସ ଅଧିକାରୀ। ଯିଏକି ଏବେ ମିଶନ ଶକ୍ତିର ସଚିବ ଅଛନ୍ତି।

Comments are closed.